ପ୍ରଣମ୍ୟ ଭଜନ ସମ୍ରାଟ ଭିକାରୀ ବଳ

ଇଂ. ପ୍ରଭାକର ସ୍ବାଇଁ

ଓଡ଼ିଆ ସଂଗୀତ ଜଗତରେ ଭିକାରୀ ବଳ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ଏହି ମହାନ ପ୍ରତିଭା ୧୯୨୯ ମସିହା ମେ ମାସ ୨୫ ତାରିଖରେ କେନ୍ଦ୍ରାପଡ଼ା ଜିଲାର ସୋବଳ ଗ୍ରାମରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ଓଡ଼ିଆ ଭଜନ, ଜଣାଣ ପରିବେଷଣ ମାଧ୍ୟମରେ ଏ ମାଟିକୁ ଧନ୍ୟ କରିଥିଲେ। ଭିକାରୀ ବଳଙ୍କ ଶୈଶବ ଖୁବ୍‌ ଦୁଃଖ କଷ୍ଟରେ ବିତିଥିଲା। ପିଲାଦିନେ ନିଜ ଜମିରେ ହଳ କରିବା, ବିଲ ବାଛିବାଠାରୁ ଆରମ୍ଭ କରି ବିଭିନ୍ନ କୃଷିକର୍ମରେ ବ୍ୟସ୍ତ ରହିଥିଲେ ବି ତାହାରି ଭିତରେ ସେ ସଂଗୀତକୁ ଭୁଲିପାରି ନ ଥିଲେ।
ଶୈଶବରୁ ସଂଗୀତ ଥିଲା ଯେପରି ଭିକାରୀ ବଳଙ୍କ ଜୀବନ ଓ ପ୍ରାଣ। ତାଙ୍କର କଣ୍ଠ ଓ ସ୍ବର ଥିଲା ଈଶ୍ବର ଦତ୍ତ। ତାଙ୍କ ସ୍ବରରେ ଏପରି ମାଧୁର୍ୟ୍ୟ ଭରି ରହିଥିଲା ଯେ ଭଜନ ଓ ଜଣାଣ ଗାନ ମାଧ୍ୟମରେ ନିଜ ଜନ୍ମମାଟିରୁ ଆରମ୍ଭ କରି ଦେଶବିଦେଶର କୋଟି କୋଟି ଓଡ଼ିଆଙ୍କୁ କେତେ ସ୍ବପ୍ନ ଓ ଛନ୍ଦରେ ମନ୍ତ୍ରମୁଗ୍ଧ କରିପାରିଥିଲେ।

ଷାଠିଏ ପଉଟି ଭୋଗରୁ ତୁମର, କୋଠ ଭୋଗଖିଆ ମୋ ଚକାଆଖିଆ, ହାତରେ ମୋ ମୁଠା ମୁଠା, ମୁଁ ତା ବଡ଼ ଦେଉଳର ପାରାରେ, ଜଗନ୍ନାଥ କଲେ ଯାହା… ଆଦି ଅସଂଖ୍ୟ ଭଜନ ଜଣାଣ ମାଧ୍ୟମରେ ଭିକାରୀ ବଳ ଓଡ଼ିଆଙ୍କ ହୃଦୟରେ ଭକ୍ତିରସର ଧାରାକୁ ପ୍ଲାବିତ କରାଇ ଗଣ ହୃଦୟକୁ ଜୟ କରିଥିଲେ।

ସଂଗୀତ ଜଗତରେ ତାଙ୍କର ଏକାଗ୍ରତା, ଗଭୀର ନିଷ୍ଠା ଓ ଜୀବନବ୍ୟାପୀ ନିରବଚ୍ଛିନ୍ନ ସାଧନା ତାଙ୍କୁ ଜୀବନରେ ଅପାର ସିଦ୍ଧି ଆଣି ଦେଇଥିଲା। ସେ ଥିଲେ ଖୁବ୍‌ ବନ୍ଧୁବତ୍ସଳ, ସ୍ନେହୀ, ସ୍ବାଭିମାନୀ ଓ ନିରାଡ଼ମ୍ବର ବ୍ୟକ୍ତିତ୍ବ। ତାଙ୍କର ସଂଗୀତମୟ ଜୀବନକୁ ସେ ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଦେଇଥିଲେ। ଜୀବନର ଶେଷ ପର୍ୟ୍ୟନ୍ତ ସେ ଯେଉଁ ଦୁଇଟି ଶବ୍ଦ ଉଚ୍ଚାରଣ କରୁଥିଲେ ତାହା ଥିଲା – ‘ଜୟ ଜଗନ୍ନାଥ’। ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପନା ମଧ୍ୟରେ ସେ ଓଡ଼ିଶାର ସଂଗୀତ ଜଗତରେ ବହୁ ପ୍ରିୟ ଓ ଗୁଣୀ ଛାତ୍ର ସୃଷ୍ଟି କରିଥିଲେ। ଏଚ୍‌.ଏମ୍‌.ଭି., ଟି.ସିରିଜ୍‌ ଆଦିରେ କଣ୍ଠଦାନ କରି ସେ ସର୍ବଭାରତୀୟ ସ୍ବୀକୃତି ଲାଭ କରିଥିଲେ। ଓଡ଼ିଶା ଓ ଓଡ଼ିଶା ବାହାରୁ ବହୁ ସମ୍ମାନ, ସ୍ବୀକୃତି ଓ ପୁରସ୍କାର ଲାଭ କରିଥିଲେ।

୧୯୮୩ ମସିହାରେ ରାଉରକେଲାବାସୀଙ୍କ ପକ୍ଷରୁ କେନ୍ଦ୍ରୀୟ ପୂଜା କମିଟି ଆନୁକୂଲ୍ୟରେ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ତାଙ୍କୁ ‘ଭଜନ ସମ୍ରାଟ’ ଉପାଧିରେ ଭୂଷିତ କରାଯାଇଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କଥା ସମ୍ରାଟ ଫକିରମୋହନଙ୍କ ପରି ଭଜନ ସମ୍ରାଟ ଭିକାରୀ ବଳ ଓଡ଼ିଆ ଜାତିର ଚିର ନମସ୍ୟ। ଆଜି ଏହି ପ୍ରଣମ୍ୟ ପୁରୁଷଙ୍କର ୯୧ତମ ପୁଣ୍ୟ ଜୟନ୍ତୀ ଅବସରରେ ଏହି ଜାତି ଓ ଜନତାଙ୍କ ପକ୍ଷରୁ ତାଙ୍କ ପଦପଙ୍କଜରେ ଭକ୍ତିପୂତ କୁସୁମାଞ୍ଜଳି ନିବେଦନ କରୁଛି।

Comments are closed.