୯୦ ବର୍ଷ ପୂର୍ବର ଚାକିରି ଖୋଜା !

ଏବେ ହାତରେ ଯଦି ସ୍ମାର୍ଟଫୋନ୍ ଅଛି, ଆପଣଙ୍କ ପାଇଁ କିଛି ଅସମ୍ଭବ ନୁହେଁ। ଚାକିରି ଖୋଜିବଠାରୁ ଆରମ୍ଭ କରି ଅନ୍-ଲାଇନ୍ ମିଟିଂ ସବୁକିଛି କରିପାରିବେ। କରୋନା କାରଣରୁ ସଂଖ୍ୟାଧିକ ଲୋକ ନିଜ ଚାକିରି ହରାଇଛନ୍ତି ସତ, କିନ୍ତୁ ଦିନ କେଇଟାରେ ସେମାନେ ଥଇଥାନ ହୋଇଯିବେ ବୋଲି ଆଶା କରାଯାଉଛି। ଆଜିର ସମୟରେ ସେଭଳି ଅସୁବିଧା ପ୍ରକୃତରେ ନାହିଁ, ହେଲେ ୯୦ ବର୍ଷ ପୂର୍ବର ସ୍ଥିତି ସମ୍ପର୍କରେ ଜାଣିଲେ ଅନୁମାନ କରିହେବ ଯେ ଚାକିରି ପାଇବା କେତେ ଜଟିଳ ଥିଲା? ୧୯୨୯ବେଳକୁ ନ୍ୟୁୟର୍କ ଷ୍ଟକ୍ ମାର୍କେଟ୍ ନିମ୍ନଗାମୀ ହେଲା। ଆମେରିକାର ନାମୀ କମ୍ପାନୀଗୁଡ଼ିକର ଆର୍ଥିକ ଅବସ୍ଥା ଶୋଚନୀୟ ହେବାରୁ କର୍ମଚାରୀ ଛଟେଇ ଆରମ୍ଭ ହେଲା। ଶହଶହ ସଂଖ୍ୟାରେ ଲୋକ ବେକାର ହେଲେ। ସେ ସମୟରେ ଆମେରିକା ପରି ଅଗ୍ରଣୀ ରାଷ୍ଟ୍ରରେ ମଧ୍ୟ ମହିଳାମାନେ ଏତେ ସଂଖ୍ୟାରେ ଚାକିରି କରୁନଥିଲେ। ଘରର ଆର୍ଥିକ ବୋଝ ପୁରୁଷଙ୍କ ଉପରେ ନ୍ୟସ୍ତ ଥିଲା। ମାନ୍ଦାବସ୍ଥା ପ୍ରାୟ ୫-୬ ବର୍ଷ ଲାଗିରହିବା ସହ ମଧ୍ୟବିତ୍ତ ବର୍ଗର ଲୋକଙ୍କ ଅବସ୍ଥା ଏକରକମ ଶୋଚନୀୟ ହୋଇଗଲା କହିଲେ ଚଳେ। ଦୁଇଓଳି ଖାଇବା ପାଇଁ ଅର୍ଥ ଯୋଗାଡ଼ ମଧ୍ୟ କାଠିକର କାମ ବେକାର ଲୋକଙ୍କ ପାଇଁ ହୋଇଗଲା। ଚାକିରି ଖୋଜା ନିମନ୍ତେ ସେ ସମୟରେ ଲୋକେ ବିଭିନ୍ନ ପନ୍ଥାମାନ ଆପଣେଇଥିଲେ। ପ୍ଲା କାର୍ଡ ଭଳି ଲେଖି ନିଜ ଶରୀରରେ ଟଙ୍ଗାଇ ନ୍ୟୁୟର୍କ ସହରର ବିଭିନ୍ନ ପ୍ରାନ୍ତରେ ବୁଲୁଥିଲେ। କେତେଜଣ ନିଜ ଶିକ୍ଷାଗତ ଯୋଗ୍ୟତା, ପରିବାର ଲୋକଙ୍କୁ ଚଳାଇବା ପାଇଁ ଚାକିରି ଖଣ୍ଡେ ପାଇଁ କାକୁତିମିନତି ହୋଇ ନିଜ ଦୁଃଖ ଏଇ ପ୍ଲା କାର୍ଡରେ ଲେଖି ସହରର ମୁଖ୍ୟ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ରହୁଥିଲେ। ସେଇ ସମୟରେ କାଲିଫର୍ଣ୍ଣିଆର କେତୋଟି ପରିବାର ଚାକିରି ପାଇଁ ନିଜ କୁନି ପିଲାଙ୍କ ହାତରେ ପ୍ଲା କାର୍ଡ ଧରାଇ ରାସ୍ତାରେ ଛିଡ଼ା କରାଉଥିଲେ। ଚାକିରି ପାଇଁ ସେମାନଙ୍କ ଏହି ପଦକ୍ଷେପକୁ ତତ୍କାଳୀନ ଆମେରିକା ପ୍ରଶାସନ ଲଜ୍ଜିତ ବୋଲି କହିଥିଲା। ସମୟକ୍ରମେ ଲୋକଙ୍କ ବେକାରି ସମସ୍ୟା ଆମେରିକାରୁ ଦୂରେଇ ଯାଇଥିଲା।

Comments are closed.