ଓଡ଼ିଶାରୁ ବାଲି ଲୁଟୁଛି ଛତିଶଗଡ଼: ୯ଟ୍ରାକ୍ଟରରୁ ୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ପଦ୍ମପୁର: ଓଡ଼ିଶାରୁ ବାଲି ଚାଲାଣ ହେଉଛି ଛତିଶଗଡ଼ । ଛତିଶିଗଡ଼ି ଟ୍ରାକ୍ଟର ବୋହୁଛି ଦିନରାତି ବାଲି । ଏହି ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାକୁ କେହି ନାହିଁ । ପଦ୍ମପୁର ଉପ ଖଣ୍ତ ଅଂଗ ନଦୀ ସମ୍ବଲପୁରୀ ଘାଟରୁ ବେଆଇନ ବାଲି ଚୋରି କରି ଛତିଶଗଡ ଓ ଅନ୍ୟାନ୍ୟ ସ୍ଥାନକୁ ନେଉଥିବା ଖବର ପାଇ ପଦ୍ମପୁର ଉପ ଖଣ୍ତ ପୋଲିସ ଅଧିକାରୀ ପ୍ରଦୀପ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜଗଦଳପୁର ଥାନା ଅଧିକାରୀ ଲିଲିମା ଲଲିତା ବାର୍ଲା, ଏ ଏସ ଆଇ ସତ୍ୟାନନ୍ଦ ଭୋଏ, ହାବିଲଦାର ଜିତେନ୍ଦ୍ରିୟ ଦାଶ ଓ ସହକର୍ମିମାନେ ଏକ ଟିମ କରି ବାଲି ଚୋରା କରୁଥିବା ୯ଟି  ଟ୍ରାକ୍ଟର  ଓଡି ୧୭ ସି ୩୩୧୩, ସିଜି ଜିଜେ ୦୮୬୬, ସିଜି ୧୧ଇ୪୫୩୩, ସିଜି ୦୬ ଜିଏ ୧୭୯୧, ସିଜି ୦୬ ଇ ୫୧୭୧, ସିଜି ୦୬ ସି ୭୯୬୪, ସିଜି ଜେ ୬୭୪୪, ଓଡି ୧୭ଏଲ୍ ୨୬୫୬ , ସିଜି ୦୪ ଡିବି ୯୫୨୬ କୁ ଗୋଡାଇ ଧରିଥିଲେ ।
ବେଆଇନ ବାଳି ଚାଲାଣ ପାଇଁ ତହସିଲଦାରଂକ ନିର୍ଦ୍ଦେଶ କ୍ରମେ ଲଖମରା ରାଜସ୍ବ ନିରୀକ୍ଷକ ଦାମୋଦର ସୁନା ୧ଲକ୍ଷ ୪୦ହଜାର ଜରିମାନା କରିଥିବା ବେଳେ ଆଂଚଳିକ ପରିବହନ ଟ୍ରାଫିକ ଇନ୍ସପେକ୍ଟର ଯୁଗଳ କିଶୋର ତିରିଆ ଟ୍ରାକ୍ଟର ଗୁଡିକର କାଗଜାତ ତଦନ୍ତ କରି ୨ଲକ୍ଷ ୯୫ହଜାର ୫୪୪ଟଂକା ଜରିମାନା ଆଦାୟ କରିଛନ୍ତି। ଅଂଗନଦୀର ବିଭିନ୍ନ ଘାଟରୁ ଚୋରା ବାଲି ଚାଲାଣ ଦ୍ବାରା ସରକାରଂକ କୋଟି କୋଟି ଟଂକାର ରାଜସ୍ବ କ୍ଷତି ହେଉଥିଲା ।ଏହି ବଡ ଧରଣର ଚଢାଉ ଫଳରେ ଦିନରେ ବାଲି ଚୋରା ଚାଲାଣ କମି ଯାଇଛି । ମାତ୍ର ରାତିରେ ମାଫିଆମାନେ ଟ୍ରାକ୍ଟର ଲଗାଇ ବାଲି ଲୁଟୁଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Comments are closed.