ଆଠଗଡରେ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ : ଆଠଗଡରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଏବେ ଚିନ୍ତାର କାରଣ ହୋଇଛି। ମଙ୍ଗଳବାର ଆଠଗଡ ସହରର ୯ଜଣଙ୍କୁ ମିଶାଇ ମୋଟ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାର ପୁଣି ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ମୋଟ ୬୨ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଏବଂ ବ୍ରହ୍ମପୁର ସିଏଚସିରେ ୫୪ଜଣଙ୍କ ମଧ୍ୟରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଠଗଡରୁ ଚିହ୍ନଟ ହୋଇଥିବା ଲୋକମାନଙ୍କ ମଧ୍ୟରେ ଆଠଗଡ ସହରର ଅଶୋକନଗର ଅଞ୍ଚଳର ୫୬ବର୍ଷ ବୟସ୍କା ମହିଳା, ତିଗିରିଆର ନୂଆପାଟଣା ଅଞ୍ଚଳର ଜଣେ ୪୦ବର୍ଷ ବୟସ୍କ ପୁରୁଷ ଓ ଅନ୍ୟ ଜଣେ ୨୭ବର୍ଷ ବୟସ୍କ ମହିଳା, ଗୁରୁଡିଝାଟିଆ ଅଞ୍ଚଳର ଡବା ଗାଡିଆରୁ ଜଣେ ୬୦ବର୍ଷ ବୟସ୍କ ମହିଳା ଓ ଜେନାପଦାର ଜଣେ ୩୯ବର୍ଷ ବୟସ୍କ ପୁରୁଷ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ବ୍ରହ୍ମପୁର ସିଏଚସିର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଖଡିର ୫୦ବର୍ଷ ବୟସ୍କା ମହିଳା ଓ ୩୭ବର୍ଷ ବୟସ୍କ ପୁରୁଷ ଏବଂ ଘଣ୍ଟିଖାଲସ୍ଥିତ ଶ୍ରୀ ସିମେଣ୍ଟ କାରଖାନାର ୨ଜଣ କୋଡିଏ ବର୍ଷ ବୟସ୍କ ପୁରୁଷ ରହିଥିବା ଜଣାପଡ଼ିଛି। ଏହି ସମସ୍ତ ଆକ୍ରାନ୍ତଙ୍କୁ ନିଜ ଘରେ ପୃଥକବାସରେ ରହି ଚିକିତ୍ସା କରାଇବା ଲାଗି ପରାମର୍ଶ ଦେବା ସହ ଆବଶ୍ୟକୀୟ ଔଷଧପତ୍ର ଯୋଗାଇ ଦିଆଯାଇଛି। ରାସରସିକପୁର ସାହିର ଗୋଟିଏ ଘରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ କରିବା ଲାଗି ଆଠଗଡ ଏନଏସି ଓ ଉପଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ନକରି ତୁରନ୍ତ ଏକ ଅସ୍ଥାୟୀ ଚିକିତ୍ସା ଶିବିର (ଟିଏମସି) କରି ସେଠାରେ ଆକ୍ରାନ୍ତକୁ ଏକାନ୍ତବାସରେ ରଖିବା ପାଇଁ ଜିଲ୍ଲାପାଳ ଆଠଗଡ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

Comments
Loading...