ଆଉ ୯ ଅଧିକାରୀ ବିଦା, ବାଧ୍ୟତାମୂଳକ ଅବସର କର୍ମଚାରୀଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି

ଭୁବନେଶ୍ବର: ଦୁର୍ନୀତି ଓ ଅପାରଗତା କାରଣରୁ ରାଜ୍ୟ ସରକାର ଆଉ ୯ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଛନ୍ତି। ଏହାକୁ ମିଶାଇ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସରକାରୀ କର୍ମଚାରୀଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି।

ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପ ନିର୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ବାସ୍ଥ୍ୟ, ଶ୍ରମ ବିଭାଗର ୯ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ଥିବାବେଳେ ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଖଣି ବିଭାଗର ୨ ଜଣ ଅଧିକାରୀ, ବଲାଙ୍ଗୀର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ଅପାରଗତା କାରଣରୁ ଭୁବନେଶ୍ବରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲା ଡିଭିଜନାଲ ଶ୍ରମ କମିଶନର ନମିତା ଦାସଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ଅଧିକାରୀମାନେ ହେଲେ ଖଣି ବିଭାଗର ଉପ ନିର୍ଦେଶକ ମଦନ ମୋହନ ବିଶ୍ବାଳ ଏବଂ ସେହି ବିଭାଗର ଗ୍ରୁପ-କ ପାହ୍ୟାର ଅଧିକାରୀ ରମେଶ ଚନ୍ଦ୍ର ମାହାଲିକ। ଶ୍ରୀ ବିଶ୍ବାଳଙ୍କ ବିରୋଧରେ ୯ଟି ଭିଜିଲାନ୍ସ ମାମଲା ଥିବାବେଳେ ଶ୍ରୀ ମାହାଲିକଙ୍କ ବିରୋଧରେ ୪ଟି ଭିଜିଲାନ୍ସ ମାମଲା ରହିଛି। ଉଭୟ ଅଧିକାରୀଙ୍କ ସାଧୁତାକୁ ନେଇ ସନ୍ଦେହ ଥିଲା। ସରକାରୀ ଅଧିକାରୀ ଭାବେ ସେମାନେ ଆବଶ୍ୟକ ସୌଜନ୍ୟ ମଧ୍ୟ ରକ୍ଷା କରୁ ନଥିଲେ। ସେହିପରି ବଲାଙ୍ଗୀର ଜିଲା ମୁରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କ ନାମରେ ଭିଜିଲାନ୍ସ ମାମଲା ରହିଛି। ତାଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ବେଳେ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ସହିତ ବଲାଙ୍ଗୀର ଜିଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ଠାବ କରାଯାଇଥିଲା। ସୁନ୍ଦରଗଡ

ଜିଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଥିବାବେଳେ ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେବଗଡ ଜିଲାରେ ୪ଟି କୋଠା, ସମ୍ବଲପୁର, ଦେବଗଡ, ଅନୁଗୋଳ ଓ ଖୋର୍ଦ୍ଧା ଜିଲାରେ ୩୧ଟି ସ୍ଥାନରେ ଜମି ରହିଛି।

ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୋଧରେ ୨ଟି, ରେଞ୍ଜ ଅଫିସର ଭରତ କୁମାର ଘଡେଇଙ୍କ ବିରୋଧରେ ୩ଟି ଏବଂ ରାୟଗଡା ଜିଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ବିରୋଧରେ ଗୋଟିଏ ଭିଜିଲାନ୍ସ ମାମଲା ରହିଛି। ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Comments are closed.