ପୁଣି କଂଗ୍ରେସରେ ’ଚିଠି ବୋମା’: ଟିମ୍-୯ ନିଶାଣରେ ଆନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ଟିମ୍-୨୩ଙ୍କ ‘ଚିଠି ବୋମା’ର କମ୍ପନ ଏବେ ବି ଶାନ୍ତ ହୋଇନାହିଁ । ଇତିମଧ୍ୟରେ ଦଳରେ ଆଉ ଏକ ଚିଠି ବୋମା ବିସ୍ଫୋରଣ ହୋଇଛି । ଏହି ବୋମା ପକାଇଛନ୍ତି ଉତ୍ତରପ୍ରଦେଶର ୯ ଜଣ ନେତା । ଗତବର୍ଷ ଦଳରୁ ବରଖାସ୍ତ କରାଯାଇଥିବା ହି ୯ ନେତା ଆନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ସେଥିରେ ଦଳକୁ ବଞ୍ଚାଇବା ନିମନ୍ତେ ସୋନିଆଙ୍କୁ ସେମାନେ ଅନୁରୋଧ କରିଛନ୍ତି । ଏଥିରେ ପୂର୍ବତନ ସାଂସଦ ସନ୍ତୋଷ ସିଂହ, ପୂର୍ବ ମନ୍ତ୍ରୀ ସତ୍ୟଦେବ ତ୍ରିପାଠୀ, ପୂର୍ବତନ ବିଧାୟକ ବିନୋଦ ଚୌଧୁରୀ, ଭୂଧର ନାରାୟଣ ମିଶ୍ର, ନେକଚନ୍ଦ ପାଣ୍ଡେ, ସ୍ବୟଂ ପ୍ରକାଶ ଗୋସ୍ବାମୀ ଓ ସଞ୍ଜୀବ ସିଂହ ସ୍ବାକ୍ଷର କରିଛନ୍ତି ।  ଏହି ୪ ପୃଷ୍ଠିଆ ଚିଠିରେ ଏହି ନେତାମାନେ ଦଳକୁ ବଞ୍ଚାଇ ରଖିବାକୁ ହେଲେ ତାଙ୍କୁ (ସୋନିଆଙ୍କୁ) ପରିବାର ମୋହରୁ ଉପରକୁ ଉଠିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି । ଏଥିରେ ସେହି ନେତାମାନେ କାହାର ନାମ ଉଲ୍ଲେଖ କରି ନ ଥିଲେ ହେଁ ଉତ୍ତରପ୍ରଦେଶ ଦାୟିତ୍ବରେ ଥିବା ଦଳର ମହାସଚିବ ପ୍ରିୟଙ୍କାଙ୍କ ପ୍ରତି ଏହି ନେତାମାନେ ଇସାରା କରିଥିବା କୁହାଯାଉଛି ।

ସୋନିଆଙ୍କ ଉଦ୍ଦେଶ୍ୟରେ  ଚିଠିରେ ଲେଖାଯାଇଛି ଯେ ଆପଣଙ୍କୁ ରାଜ୍ୟର କଂଗ୍ରେସ ସ୍ଥିତି ସମ୍ପର୍କରେ ଅବଗତ କରାଯାଉନାହିଁ । ପ୍ରିୟଙ୍କା ଯେହେତୁ ରାଜ୍ୟର ପ୍ରଭାରୀ ଅଛନ୍ତି ତେଣୁ ରାଜ୍ୟ ପ୍ରସଙ୍ଗ ଆପଣଙ୍କ ନିକଟରେ ପହଞ୍ଚାିଇବାର ନିଃସନ୍ଦେହରେ ଦାୟିତ୍ବ ତାଙ୍କର । ଗତ ୧ ବର୍ଷ ଧରି ଆପଣଙ୍କ ଭେଟିବାକୁ ଆମେ ସମୟ ମାଗି ଆସୁଛୁ, ମାତ୍ର ଆମକୁ ସମୟ ମିଳୁନାହିଁ । ଦରମାପ୍ରାପ୍ତ ଲୋକମାନେ ଦଳକୁ ଦଖଲ କରି ବସିଛନ୍ତି । ଏହି ଲୋକମାନେ ନାଁ ଦଳର ପ୍ରାଥମିକ ସଦସ୍ୟ ଅଛନ୍ତି, ନା ଦଳର ବିଚାରଧାରା ସହ ପରିଚିତ । ଯେଉଁ ଲୋକମାନେ ଦଳ ସହ ଦୀର୍ଘଦିନ ଧରି ରହିଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଛି, ଅପମାନିତ କରାଯାଉଛି । ଏପରିକି ବରିଷ୍ଠ ନେତାମାନଙ୍କୁ ଦଳରୁ ବାହାର କରି ଦିଆଯାଉଛି । ଯୁବ ଗୋଷ୍ଠୀ ପ୍ରତି କଂଗ୍ରେସ ଉଦାସୀନ ମନୋଭାବ ପୋଷଣ କରୁଛି ଓ ଯାହା ସାଧାରଣରେ ଏକ ନକରାତ୍ମକ ବାର୍ତା ଯାଉଛି । ଦଳର ଦୁଇ ପ୍ରମୁଖ ସଂଗଠନ ଏନଏସୟୁଆଇ ଓ ଯୁବକଂଗ୍ରେସ ନିଷ୍କ୍ରିୟ ହେବାରେ ଲାଗିଛି । ତେଣୁ ଏହା ଦଳକୁ ଦିନକୁ ଦିନ ଦୁର୍ବଳ କରୁଛି ବୋଲି ଏହି ନେତାମାନେ ଚିଠିରେ ଲେଖିଛନ୍ତି ।

ଏହି ଚିଠିକୁ ନେଇ ଦଳରେ ପୁଣିଥରେ ଆରମ୍ଭ ହୋଇଛି ବିବାଦ । ପୂର୍ବରୁ ୨୩ ଜଣ ବଡ଼ ନେତା ସୋନିଆଙ୍କୁ ଚିଠି ଲେଖି ଆଭ୍ୟନ୍ତରୀଣ ନିର୍ବାଚନ କରି ଦଳର ଅଧ୍ୟକ୍ଷ ନିଯୁକ୍ତ କରିବା ଏବଂ ଶୀର୍ଷସ୍ତରରୁ ବ୍ଲକ୍ ପର୍ଯ୍ୟନ୍ତ ପରିବର୍ତନ ନିମନ୍ତେ ଅନୁରୋଧ କରିବା ପରେ ଦଳରେ ଭୂକମ୍ପ ଆରମ୍ଭ ହୋଇଥିଲା ।

Comments are closed.