ସାହସିକତା ପାଇଁ ୮୩ ବର୍ଷୀୟ ବୃଦ୍ଧା ହେଲେ ପୁରସ୍କୃତ

ନିଜ କଷ୍ଟ ଅର୍ଜିତ ଧନକୁ ଅନ୍ୟକୁ ଦେବାକୁ କଷ୍ଟ ଲାଗିଥାଏ। ଜଣେ ବ୍ୟକ୍ତି ନିଜ ସଉକ୍‌ ପାଇଁ ଝାଳବୁହା ଅର୍ଥକୁ ଖର୍ଚ୍ଚ କରିପାରେ, ହେଲେ ଅନ୍ୟ କେହି ଚୋରି କଲେ କିମ୍ବା ଅୟସରେ ଖର୍ଚ୍ଚ କଲେ, ସେସବୁ ସହ୍ୟ କରିବା କଷ୍ଟକର। ନିକଟରେ ଇଂଲଣ୍ଡର ହେନ୍‌ଲେ ପ୍ରାନ୍ତ ଅଞ୍ଚଳରେ ରହୁଥବା ଜନୈକ ବୃଦ୍ଧା ନିଜ ପରିଶ୍ରମ ଉପାର୍ଜିତ ଧନର ରକ୍ଷା ନିମନ୍ତେ କିଭଳି ଚୋରକୁ ଆକ୍ରମଣ କରିଛନ୍ତି, ତାହା ବିଶ୍ବ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ୮୩ ବର୍ଷୀୟା ଜୁନ୍ ଟର୍ଣ୍ଣର ସବୁଦିନ ଭଳି ଗତ ଶନିବାର ମଧ୍ୟ ଦୋକାନ ସକାଳ ୯ଟାବେଳକୁ ଖୋଲିଥିଲେ। ମହାମାରୀ କାରଣରୁ ଏବେ ଗ୍ରାହକଙ୍କ ଭିଡ଼ ପୂର୍ବ ଭଳି ନାହିଁ। ବିଭିନ୍ନ ପ୍ରକାର ପ୍ୟାକେଟ୍ ଖାଦ୍ୟ, ଫଳ, ପନିପରିବା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ତାଙ୍କ ଷ୍ଟୋର୍‌ରେ ଉପଲବ୍ଧ। ୩୪ ବର୍ଷ ତଳେ ସ୍ବାମୀଙ୍କ ସହ ଦୋକାନ ଆରମ୍ଭ କରିଥିବା ଜୁନ୍ ଏବେ ଏକାକୀ ଦୋକାନ ଚଳାଉଛନ୍ତି। ପୁଅ-ଝିଅ ବିଦେଶରେ ରହୁଥିବାବେଳେ ପାଖ ସହରରେ ତାଙ୍କ ୩ ନାତିନାତୁଣୀ ପାଠ ପଢ଼ୁଛନ୍ତି। ଦିନ ଗୋଟାଏ ସୁଦ୍ଧା କେତେଜଣ ଗ୍ରାହକ ଆସି ଜିନିଷ କିଣାକିଣି କରି ଗଲେ। ଜୁନ୍ ଦ୍ବିପହର ଭୋଜନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ମୁଖା ପିନ୍ଧି ବ୍ୟକ୍ତି ଜଣେ ଜୁନ୍‌ଙ୍କୁ ଧମକାଇଲେ କାଉଣ୍ଟରରେ ଥିବା ସବୁ ଟଙ୍କା ତୁରନ୍ତ ଦେବାକୁ। ବେଶ୍ ସତକର୍ତାର ସହିତ ଜୁନ୍ କାଉଣ୍ଟର ତଳେ ଥିବା ବାଡ଼ି ଆଣି ଚୋରକୁ ପିଟିବାକୁ ଲାଗିଲେ। ଚୋର ଟଙ୍କା ଚୋରି କରିବ କ’ଣ, ନିଜ ଜୀବନ ରକ୍ଷା କରିବାକୁ ଷ୍ଟୋର୍ ଭିତରେ ଦୌଡ଼ିଲା। ବୟସ୍କା ଜୁନ୍ ଗୋଡ଼ାଇଗୋଡ଼ାଇ ଚୋରକୁ ପିଟିଲେ ଓ ଏସବୁ ଦୃଶ୍ୟ ସିସିଟିଭିରେ ରେକର୍ଡିଂ ମଧ୍ୟ ହୋଇଛି। ପରେ ପୁଲିସ୍ ଆସି ଭିଡିଓ ଦେଖି ଚୋରକୁ ଗିରଫ କରି ୨ ବର୍ଷର ଦଣ୍ଡ ସେଠା କୋର୍ଟ ଶୁଣାଇଛି। ଅନ୍ୟପକ୍ଷେ ଜୁନ୍‌ଙ୍କୁ ସ୍ଥାନୀୟ ଅଞ୍ଚଳରେ ବୀରତା ପୁରସ୍କାର ‘ଏମ୍ପ୍ଲିଫାନ୍ ଆୱାର୍ଡ ଫର୍ ବ୍ରେଭ୍ ବ୍ରିଟନ୍ସ’ ସମ୍ମାନରେ ସମ୍ମାନିତ କରାଯାଇଛି। ପୁରସ୍କାର ପାଇ ଆତ୍ମହରା ହୋଇଥିବା ଜୁନ୍ କହିଛନ୍ତି, ତାଙ୍କ କଷ୍ଟ ଅର୍ଜିତ ଧନକୁ କେହି ଚୋରି କରିନେବ, ଏହା ସେ ସହ୍ୟ କରିପାରିନଥିଲେ। ଏଣୁ ସେ ଆଗପଛ ନ ବିଚାରି ଚୋରକୁ ନିଜେ ହିଁ ଶାସ୍ତି ଦେଇଥିଲେ।

Comments are closed.