ସୁପର ସ୍ପ୍ରେଡର୍ ହେବେ କି ୮୩ ନମ୍ବର ଆକ୍ରାନ୍ତ ?

ଭୁବନେଶ୍ଵର: ଓଡ଼ିଶାରେ କରୋନା ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦ରେ ପହଞ୍ଚିଚି। ତେବେ ୮୩ ନଂ କରୋନା ଆକ୍ରାନ୍ତଙ୍କ(୩୮ ବର୍ଷ ବୟସ୍କ ଯୁବକ)ଙ୍କୁ ନେଇ ଏବେ ନାନା ଆଶଙ୍କା ପ୍ରକାଶ ପାଇଛି। ଏହି ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ପ୍ରକାଶ ପାଇବା ପରେ ସେ ସୁପର ସ୍ପ୍ରେଡର୍ ହେବେ କି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘର ଯାଜପୁର ଜିଲାର ଦଶରଥପୁର ଅନ୍ତର୍ଗତ ଆକରପଡ଼ାରେ । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ତାଙ୍କ ଟ୍ରାଭେଲ ହିଷ୍ଟ୍ରୀ ଅନୁସାରେ ଗତ ମାର୍ଚ୍ଚ ୩୦ ତାରିଖରେ ସେ ପଶ୍ଚିମବଙ୍ଗ ହାୱଡ଼ା ମଂଗଳା ହାଟରୁ ୧୧ଜଣ ଯାତ୍ରୀଙ୍କ ସହ ଏକ ଗାଡ଼ିରେ ଆସିଥିଲେ । ୩ଜଣ ଭଦ୍ରକରେ ଓହ୍ଲାଇଥିଲେ । ବାକି ୮ଜଣ ଯାଜପୁର ସହରର କିଆଁନାଳିକୂଳରେ ପହଞ୍ଚିଥିଲେ । ଏହା ପରେ ସେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ମାର୍ଚ୍ଚ ୩୦ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ନିଜ ଘରେ କ୍ୱାରେଣ୍ଟାଇନରେ ଥିଲେ । ୧୫ ତାରିଖରୁ ସେ ବୁଲାବୁଲି ଆରମ୍ଭ କରି ଦେଇଥିଲେ । ୧୫ରୁ ୨୧ ଏପ୍ରିଲ ଭିତରେ ସେ ଗାଁରେ ବୁଲିବା ସହିତ ନିଜ ଘରର ନିର୍ମାଣ କାମ କରିଥିଲେ । ଖାଲି ସେତିକି ନୁହେଁ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖାକୁ ବି ଯାଇଥିଲେ । ତେବେ ଗତ ୧୫ରୁ ୨୧ ତାରିଖ ଭିତରେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ସୂଚନା ସରକାର ଦେଇନାହାନ୍ତି ।