କ୍ଷୁରରେ ବେକ କାଟି ହତ୍ୟା ଉଦ୍ୟମ ଘଟଣା : ୮ବର୍ଷ ପରେ ୨କି.ମି ଗୋଡ଼ାଇ ଅଭିଯୁକ୍ତକୁ ଧରିଲା ପୁଲିସ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ୨୦୧୩ ମସିହାରେ ଜଣେ ବ୍ୟକ୍ତିଙ୍କ ବେକକାଟି ହତ୍ୟା ଉଦ୍ୟମ ଘଟଣାରେ ନୀଳଗିରି ପୁଲିସ ଜଣେ ମହିଳା ଅଭିଯୁକ୍ତକୁ ୨କି.ମି ଗୋଡ଼ାଇବା ପରେ ବିଲ ମଝିରେ ତାକୁ କାବୁ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।
ନୀଳଗିରି ଥାନା ବାଲିଗୋହିରୀ ଅଞ୍ଚଳର ଗଙ୍ଗାଧର ମିର୍ଦ୍ଧା ନାମକ ବ୍ୟକ୍ତିଙ୍କୁ ୨୦୧୩ ମସିହା ଡିସେମ୍ବର ୨୬ତାରିଖରେ କାହାଳିଆ ଅଞ୍ଚଳର ବାବୁ ମହଲ, ତାଙ୍କ ପୁଅ କାଳିଆ ଏବଂ ସ୍ତ୍ରୀ ନିୟତି ଅତର୍କିତ ଆକ୍ରମଣ କରିଥିଲେ। ଶୁଖିଲା କାଠ ସାଉଣ୍ଟିବାକୁ କେନ୍ଦ୍ରକରି ଅଭିଯୁକ୍ତ କାଳିଆକୁ ହତ୍ୟା ଉଦ୍ୟମ କରି ଏକ କ୍ଷୁରରେ ଗଙ୍ଗାଧରଙ୍କ ବେକକୁ କାଟି ଦେଇଥିଲେ। ସେତେବେଳେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଦୀର୍ଘଦିନ ପରେ ସେ ସୁସ୍ଥ ହୋଇଥିଲେ ଏବଂ ତାଙ୍କ ବେକରେ ୮ଟି ଷ୍ଟିଚ୍‍ ପଡ଼ିଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଇତିମଧ୍ୟରେ ଅଭିଯୁକ୍ତ କାଳିଆ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ନିୟତି ସେତେଦିନରୁ ପୁଲିସ ଆଖିରେ ଧୂଳିଦେଇ ବୁଲୁଥିଲା। ନୀଳଗିରିର ନୂଆ ଏସଡିପିଓ ରୀତେଶ ମହାପାତ୍ର ଏହି ମାମଲାର ଦାୟିତ୍ୱ ନେବା ପରେ ତାଙ୍କ ନିର୍ଦେଶରେ ଥାନା ସବଇନ୍ସପେକ୍ଟର ବାସୁଦେବ ଜୟସିଂହ, ସସ୍ମିତା ମଲିକ, ଡ୍ରାଇଭର କାଳିଆ ଜେନା ପ୍ରମୁଖ ଅଭିଯୁକ୍ତଙ୍କ ଘର ଚଢ଼ଉ କରିଥିଲେ। ଅଭିଯୁକ୍ତ ମହିଳା ଜଣକ ପୁଲିସକୁ ଦେଖି ଦୌଡ଼ି ପଳାଇଥିଲା। ଦୀର୍ଘ ୨କି.ମି ଦୂର ପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ ଗୋଡ଼ାଇବା ପରେ ଏକ ବିଲ ମଝିରେ କାବୁ କରି ନେଇଥିଲେ। ଏହି ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Comments are closed.