କେବଳ ଆଠଟି ରାଜ୍ୟରୁ ୮୫ ପ୍ରତିଶତ କରୋନା ମାମଲା ; ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ‌

ନୂଆଦିଲ୍ଲୀ : ଦେଶରେ ୮୫% କରୋନା ମାମଲା ମହାରାଷ୍ଟ୍ର, ଦିଲ୍ଲୀ ଏବଂ ତାମିଲନାଡୁ ସମେତ ଆଠଟି ରାଜ୍ୟରୁ ଆସିଛି ଏବଂ ମୋଟ ମୃତ୍ୟୁର ୮୭% ମଧ୍ୟ ଏହି ଆଠଟି ରାଜ୍ୟରୁ ହୋଇଥିବା ଜଣାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ତଥ୍ୟ  ପ୍ରକାଶ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀଗୋଷ୍ଠୀ ବୈଠକରୁ ଏହି ସୂଚନା ମିଳିଛି।
ଦେଶରେ କରୋନା ସହ ମୁକାବିଲା ଏବଂ ଏହାର ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗଠନ କରିଛନ୍ତି, ଯେଉଁମାନେ ଦେଶରେ କରୋନା ସ୍ଥିତିକୁ ପର୍ଯ୍ୟାୟକ୍ରମେ ସମୀକ୍ଷା କରୁଛନ୍ତି ଏବଂ ଆବଶ୍ୟକ ସମୟରେ ନିଷ୍ପତ୍ତି ନେଇଥାନ୍ତି।

ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଆଠଟି ରାଜ୍ୟ ଯଥା : ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, ଗୁଜରାଟ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଦେଶର ମୋଟ୍ ୮୫% ସକ୍ରିୟ କରୋନା ମାମଲା ସାମ୍ନାକୁ ଆସିଛି। ସେହିଭଳି ଭାରତରେ ମୋଟ ମୃତ୍ୟୁର ୮୭% ମଧ୍ୟ ଏହି ରାଜ୍ୟରେ ଘଟିଛି।
ଭାରତରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୫,୦୮,୯୫୩କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ୧,୯୭,୩୮୭ସକ୍ରିୟ ମାମଲା। ସମଗ୍ର ଦେଶରେ ୨,୯୫,୮୮୧ଲୋକ ଆରୋଗ୍ୟ ହୋଇଛନ୍ତି ଏବଂ ଏପର୍ୟ୍ୟନ୍ତ ୧୫,୬୮୫ ଲୋକଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ରାଜ୍ୟକୁ ପିପିଇ କିଟ୍ ଏବଂ ଏନ୯୫ ମାସ୍କ ଯୋଗାଇ ଦିଆଯାଇଛି। ମୃତ୍ୟୁ ହାର ୩% ଏବଂ ଦ୍ବିଗୁଣିତ ହାର ୧୮ ଦିନ ରହିଛି।
ସେ କହିଛନ୍ତି ଯେ ଦେଶରେ ଏକ ହଜାର ୨୬ଟି ପରୀକ୍ଷାଗାର ଅଛି ଏବଂ ପ୍ରତିଦିନ ଦୁଇ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ବିଭିନ୍ନ ମାମଲାରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୮୦ପ୍ରତିଶତ ମାମଲା ସମାଧାନ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୧୫ଟି କେନ୍ଦ୍ରୀୟ ଟିମରେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ମହାମାରୀ ବିଶେଷଜ୍ଞ ଏବଂ ବରିଷ୍ଠ ଯୁଗ୍ମ ସଚିବ ସ୍ତରର ଅଧିକାରୀ ଅଛନ୍ତି । ଅନ୍ୟ କେନ୍ଦ୍ରୀୟ ଦଳ ବର୍ତ୍ତମାନ ଗୁଜରାଟ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା ଗସ୍ତ କରି କରୋନା ପରିଚାଳନା ପାଇଁ ଚାଲିଥିବା ପ୍ରୟାସକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଉଛନ୍ତି।

Comments are closed.