ଜୁଆଖେଳ ବିରୋଧି ଅଭିଯାନ ଜୋରଦାର ; ପୁଣି ୮ଗିରଫ, ଜବତ ହେଲା ୮୬ହଜାର

ଚୌଦ୍ୱାର : ଚୌଦ୍ୱାର ପୁଲିସ ତରଫରୁ ଜୁଆଖେଳ ବିରୋଧି ଅଭିଯାନକୁ ଜୋରଦାର କରାଯାଇଛି। ରଜ ୩ଦିନ ଭିତରେ ବିଭିନ୍ନ ସ୍ଥାନରୁ ୧୬ଜଣ ଜୁଆଡ଼ିଙ୍କୁ ପୁଲିସ ଗିରଫ କରିବା ସହିତ ୧୫ହଜାରରୁ ଅଧିକ ଟଙ୍କା ଜବତ କରଥିଲା। ତେବେ ଗତ ରାତିରେ ଚୌଦ୍ୱାର ସହର ଭିତରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ପୁଲିସ ପୁଣି ୮ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ନଗଦ ୮୬ ହଜାର ୭୨୦ ଟଙ୍କା ଜବତ କରାଯାଇଛ।
ବିଶେଷ ସୂତ୍ରରୁ ଖବର ପାଇ ଚୌଦ୍ୱାର ଥାନା ଏଏସ୍‍ଆଇ ଦରବାରି ନାୟକ ସଦଳବଳେ ଚୌଦ୍ୱାର ପରିଡ଼ା ସାହିସ୍ଥିତ ସରଦେଈ ମନ୍ଦିର ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ସେଠାରେ ଜୁଆ ଖେଳରେ ଲିପ୍ତଥିବା ୮ଜଣ ଯୁବକଙ୍କୁ ପୁଲିସ୍‍ ଟିମ୍‍ କାବୁ କରିବା ସହିତ ସେମାନଙ୍କ ଠାରୁ ନଗଦ ଟଙ୍କା,୧୦ଟି ପଶାପାଲି ଗୁଟି, ପାଲି ଓ ୨ଟି ମଟର ସାଇକେଲ ଜବତ କରିଥିଲେ। ଅଭିଯୁକ୍ତ ମାନେ ହେଲେ ପରିଡ଼ା ସାହିର ଗୌତମ ନାୟକ(୨୦), ରାଜେଶ ସାହୁ(୩୫), ସୁରେଶ ସାହୁ(୪୫), ବଡ଼ ବଜାରର ବଳରାମ ବେହେରା(୩୨), ତଳ ବଜାର ବେହେରା ସାହିର ଶ୍ରୀଧର ବେହେରା(୩୫), ଧର୍ମେନ୍ଦ୍ର ବେହେରା(୩୨), ମଙ୍ଗଳା ସାହିର ଦିଲ୍ଲିପ ଦଳେଇ(୪୬) ଓ ଜୋବ୍ରା ଦାସସାହିର ଟିକନ ବେହେରା(୩୬)। ଅଭିଯୁ୍‍କ୍ତ ମାନଙ୍କୁ ଥାନାରେ ଅଟକ ରଖାଯାଇଛି।

Comments are closed.