ପୁଲିସ ଜାଲରେ ୮ ଡକାୟତ; ଢେପଗୁଡା ଘାଟିରେ ଖେଳାଇଥିଲେ ଆତଙ୍କରାଜ

ଲାଞ୍ଜିଗଡ଼: ଦୀର୍ଘ ଦିନ ହେଲା କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡା ଘାଟି ରାସ୍ତାରେ ଆତଙ୍କରାଜ ଚଳାଇଥିବା ଏକ ଅନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ବିଶ୍ୱନାଥପୁର ପୁଲିସ ହାତରେ ଧରାପଡିଥିବା ଜଣାପଡିଛି। ପୁଲିସ ସେମାନଙ୍କଠାରୁ ଏକାଧିକ ମାରଣାସ୍ତ୍ର ଜବତ କରିଛି। ଏହି ଡକାୟତି ଗ୍ୟାଙ୍ଗ ଭୟରେ ରାତିରେ ଲୋକେ ରାସ୍ତାରେ ଚଳପ୍ରଚଳ ହେବାକୁ ଭୟ କରୁଥିବାବେଳେ ଦୂରଗାମୀ ଟ୍ରକଗୁଡିକୁ ଅଟକାଇ ଏହି ଗ୍ୟାଙ୍ଗର ସଦସ୍ୟମାନେ ଲୁଟ୍‌ କରୁଥିଲେ।
ସେପ୍ଟେମ୍ବର ୨୩ ତାରିଖ ରାତିରେ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକର ଡ୍ରାଇଭର ଅନ୍ୟ ଏକ ଅଜଣା ଟ୍ରକ ଧକ୍କାରେ ମୃତ୍ୟୁବରଣ କରିବା ଓ ଟ୍ରକରୁ ବ୍ୟାଟେରୀ ଚୋରି ହେବା ମାମଲାଟି ପୁଲିସ ପାଖରେ ପହଞ୍ଚିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ସତର୍କତାର ସହ ତଦନ୍ତ ଆରମ୍ଭ କରିଥିଲା। କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ ଓ କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ଓ ଏସ୍‌ଆଇ ଯୁଧିଷ୍ଟିର ଗରଡ଼ାଙ୍କ ନେତୃତ୍ୱରେ ପୁଲିସ ଛାନ୍‌ବିନ ଆରମ୍ଭ କରିଥିଲା। ଡ୍ରାଇଭର ବନ୍ଦଲି ଟାଗୋର ସିଂହଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ଏହି ଡକାୟତି ଦଳ ତାଙ୍କୁ ଚଳନ୍ତା ଟ୍ରକ୍‌ ସାମ୍ନାରେ ଫିଙ୍ଗି ମାରିଦେଇଥିବା ସୂଚନା ଦେଇଥିଲା ହେଲ୍ପର ଦାସାରୀ ଚନ୍ଦୁ। ସେଦିନ ରାତିରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ପାଖକୁ ଏହି ୮ଜଣ ଏକ ବଲେରୋରେ ଯାଇ ଡ୍ରାଇଭର ଓ ହେଲ୍ପରକୁ ପିସ୍ତଲ, ଖଣ୍ଡା ଓ ଲାଠି ଦେଖାଇ ଟଙ୍କା ମାଗିଥିଲେ। ସେମାନଙ୍କ ଧମକଚମକ ଦେଖି ହେଲ୍ପର ଜଙ୍ଗଲ ଆଡକୁ ଦୌଡି ପଳାଇଥିବା ବେଳେ ଡ୍ରାଇଭର ଦୌଡି ପଳାଉଥିବା ବେଳେ ତାକୁ ଧରି ଚଳନ୍ତା ଟ୍ରକ ସାମ୍ନାରେ ଫିଙ୍ଗିଦେଇଥିଲେ। ଏ ସଂପର୍କରେ ହେଲ୍ପରଠାରୁ ସୂଚନା ପାଇବା ପରେ ବିଶ୍ୱନାଥପୁର ପୁଲିସ ଅପମୃତ୍ୟୁ ବଦଳରେ ଡକାୟତି ଉଦ୍ୟମ ଓ ହତ୍ୟା ମାମଲାରେ ବଦଳାଇଥିଲା। ଦୀର୍ଘ ଦୁଇ ସପ୍ତାହର ତଦନ୍ତ ପରେ ଢେପଗୁଡା ଘାଟି ଡକାୟତି ଘଟଣାରେ ଦୀର୍ଘଦିନ ଧରି ସଂପୃକ୍ତ ଏହି ଦଳ ଏଥିରେ ବି ସାମିଲ ଥିବା ଜାଣିବାକୁ ପାଇଥିଲା। ସେମାନଙ୍କ ବିରୁଦ୍ଧରେ ତଥ୍ୟ ଓ ପ୍ରମାଣ ମିଳିବାରୁ ଆଜି କୋର୍ଟଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ବିଶ୍ୱନାଥପୁର ଥାନା ବକଟପୁରର ବଲେରୋ ମାଲିକ ଯତିନ୍ଦ୍ର ବେହେରା ମାଷ୍ଟର ମାଇଣ୍ଡ ଓ ତାର ଈଶାରାରେ ନର୍ଲା ଥାନା କାଉଗୁଡାର ଲଛମନ ହରିଜନ, ରାୟଗଡା ଜିଲା ଅମ୍ବାଦଳାର ନରେନ୍ଦ୍ର ମାଝୀ, ଥୁଆମୂଳ-ରାମପୁରର ନାମ ନାଏକ ଓରଫ ଅଭି, ଭବାନୀପାଟଣା ନକଟିଗୁଡାର କାଳିଆ ଗଉଡ, ବିଶ୍ୱନାଥପୁରର ରଘୁନାଥ ବାଗ, ବକଟପୁରର ସୁବାସ ନାଏକ ଓ ଲଛମନ ସାହୁ ପ୍ରମୁଖଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଅଭାବରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏଥିରେ ବ୍ୟବହୃତ ବଲେରୋକୁ ମଧ୍ୟ ପୁଲିସ ଜବତ କରିବା ସହ କେସନଂ ୪୪/୨୦୨୦, ୩୯୬, ୨୫/୨୭ ଆର୍ମ ଆକ୍ଟରେ ମାମଲା ରୁଜୁ କରିଛି।

Comments are closed.