ଭିମସାର କୋଭିଡ ହସପିଟାଲରେ ପୁଣି ୮ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

ବୁର୍ଲା : ବୁର୍ଲାସ୍ଥିତ ଭିମସାର କୋଭିଡ ହସପିଟାଲରେ ରୋଗୀ ମୃତ୍ୟୁ​ରେ ବିରାମ ଲାଗୁନାହିଁ। ଶନିବାର ପୁଣି ୮ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କେବଳ ବରଗଡ଼ର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୧୬ ବର୍ଷ ବୟସ୍କା ନାବାଳିକା, ୪୦ ବର୍ଷ ବୟସ୍କ ପୁରୁଷ, ୬୫ ବର୍ଷ ବୟସ୍କା ମହିଳା ଏବଂ ୭୮ ବର୍ଷ ବୟସ୍କା ମହିଳାଅଛନ୍ତି। ସେହିପରି ସୁନ୍ଦରଗଡ଼ର ୨ ଜଣ ୫୦ ବର୍ଷ ବୟସ୍କ ପୁରୁଷ ଏବଂ ୨୨ ବର୍ଷ ବୟସ୍କା ଯୁବତୀ, ସମ୍ବଲପୁରର ୬୦ ବର୍ଷ ବୟସ୍କ ପୁରୁଷ ଏବଂ କଲାହାଣ୍ଡିର ୫୦ ବର୍ଷ ବୟସ୍କ ପୁରୁଷ ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗତବର୍ଷ ଅକ୍ଟୋବର ମାସରୁ ବୁର୍ଲା ଭିମସାର କୋଭିଡ ହସପିଟାଲରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସେହିଦିନଠାରୁ ଆଜି ସୁଦ୍ଧା ଭିମସାରର କୋଭିଡ ହସପିଟାଲରେ ମୃତ୍ୟୁସଂଖ୍ୟା ୩୦୫ରେ ପହଞ୍ଚି ସାରିଲାଣି। ବର୍ତ୍ତମାନ ୧୪୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧିନ ରହିଥିବା ବେଳେ ଏହି ନଅତାଲା କୋଠାକୁ ଅଗ୍ନି ନିରାପତ୍ତା ଅନୁମତି ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ସୂଚନା ଥାଉକି, ଗତକାଲି ଶୁକ୍ରବାର ୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁବାର ୭ ଜଣ, ବୁଧବାର ୮ ଜଣ, ମଙ୍ଗଳବାର ୫ ଜଣ, ସୋମବାର ୫ ଜଣ, ରବିବାର ୬ ଜଣ, ୧୦ ତାରିଖରେ ୨ ଜଣ, ୯ ତାରିଖରେ ୪ ଜଣ ଏବଂ ଗତ ୮ ତାରିଖରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ଯାହାକି ଚିନ୍ତାର ବିଷୟ ପାଲଟିଛି। ପୁଣି ଭିମସାରରେ ଶଯ୍ୟା ସଂଖ୍ୟା ବୃଦ୍ଧି କରି ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କରାଯିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଭିମସାର ବ୍ୟବସ୍ଥା ଓ ଜିଲା ପ୍ରଶାସନ ଏହି ସମ୍ବେଦନଶୀଳ ବିଷୟ ପ୍ରତି ସମୟ ଥାଉ ଥାଉ ଧ୍ୟାନ ନଦେଲେ ଆଗକୁ ସ୍ଥିତି ଗମ୍ଭୀର ହେବା ଆଶଙ୍କା ସୃଷ୍ଟି ହେଲାଣି।

Comments are closed.