ସନ୍ଧ୍ୟା ୭ଟା – ମୁଖ୍ୟ ଖବର

-ଦେଶରେ ଏପର୍ଯ୍ୟନ୍ତ ୧୬କୋଟି ୭୩ ଲକ୍ଷ ଲୋକ କୋଭିଡ ଟିକା ନେଇସାରିଛନ୍ତି,୧୮ରୁ ୪୪ ବର୍ଷ ବୟସର ୧୪ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଥମ ପାନ ଟିକା ନେଇଛନ୍ତି

-ଅମ୍ଳଜାନ ଆବଣ୍ଟନ ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ

-ଏଣିକି ମେଡ଼ିକାଲ୍‌ରେ ଭର୍ତ୍ତି ପାଇଁ କୋଭିଡ୍‌ ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ନୁହେଁ, କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ନ ଥିଲେ ମଧ୍ୟ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇପାରିବେ

-ସାମାନ୍ୟ ଲକ୍ଷଣ ଦେଖାଯାଇଥିଲେ ରୋଗୀଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା 

-ଗତ ୭ ଦିନ ହେବ ଦେଶର ୧୮୦ ଜିଲାରେ ସଂକ୍ରମଣ ଶୂନ ରହିଛି, ଅର୍ଥାତ ଏହି ଜିଲାଗୁଡ଼ିକରେ ୭ ଦିନ ହେବ କୌଣସି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି

-ଦେଶରେ କୋଭିଡ-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି କାରାଗାରଗୁଡିକରେ ଭିଡ କମାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି, ଯେଉଁମାନେ ଅତିକମରେ ସାତବର୍ଷରୁ କମ୍‍ ଜେଲ ଦଣ୍ଡରେ ଦଣ୍ଡିତ ହୋଇନାହାନ୍ତି ଆବଶ୍ୟକ ନଥିଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଉଚିତ

-କାରଗାର ଅନ୍ତେବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇଦେବାକୁ ସର୍ବୋଚ୍ଚ ଅଦାଲତ କାରଗାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

-ହାଇଦରାବାଦ ପରେ ଉତ୍ତର ପ୍ରଦେଶର ଇଟାୱା ସଫାରି ପାର୍କରେ ଦୁଇ ସିଂହୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେମାନଙ୍କର ନମୁନା ପରୀକ୍ଷା କରାଯିବା ପରେ ସିଂହୀ ଦୁଇଟି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି

-କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହେଲା ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି), ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କଲା ଡିସିଜିଆଇ,ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କୁ କମ୍‌ ଅମ୍ଳଜାନ ଦରକାର ପଡ଼ିବ

-ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ଭାରତର ଆଭ୍ୟନ୍ତରୀୟ ବ୍ୟାପାର ବୋଲି କହିଛନ୍ତି ପାକିସ୍ତାନୀ ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେଶୀ, ଏକ ଟିଭି ସାକ୍ଷାତକାରରେ କୁରେଶୀ ସାର୍ବଜନିକ ଭାବେ ଏହା ସ୍ବୀକାର କରିଛନ୍ତି

-ଆସାମ ମୁଖ୍ୟମନ୍ତ୍ରୀ ପଦ ନେଇ ଅଙ୍କକଷା ଚାଲିଛି, ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଶନିବାର ନୂଆଦିଲ୍ଲୀରେ ପହଞ୍ଚି ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରୁଛନ୍ତି

-ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ସାନା ରାମଚାନ୍ଦ ଦେଶର ସମ୍ମାନଜନକ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ (ସିଏସଏସ) ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେ ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ)ରେ ଯୋଗଦେବେ

-ପ୍ରଥମ ଥର ପାଇଁ ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ଏହି ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି

-କେନ୍ଦ୍ର ଆୟକର ବିଭାଗ ଦେଶରେ କୋଭିଡ ଚିକିତ୍ସା ନିମନ୍ତେ ଦାଖଲ କରାଯାଉଥିବା ନଗଦ ଅର୍ଥ କ୍ଷେତ୍ରରେ ଆୟକର ଆଇନରେ କିଛିଟା କୋହଳ କରିଛି, ଏଣିକି ଡାକ୍ତରଖାନାଗୁଡିକରେ କୋଭିଡ ଚିକିତ୍ସା ବାବଦରେ ଯଦି ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥାଏ ତେବେ ସେହି ଅର୍ଥ ନଗଦ ଆକାରରେ ଦିଆଯାଇପାରିବା ନେଇ ବ୍ୟବସ୍ଥା ହୋଇଛି

-ଆନ୍ଧ୍ରପ୍ରଦେଶର କଡପ୍ପା ଜିଲା କଲାସପାଡୁ ମଣ୍ଡଳର ଏକ ପଥର କ୍ବାରିରେ ଶନିବାର ବିସ୍ଫୋରଣ ଘଟି ୧୦ ଶ୍ରମିକଙ୍କର ମୃତ୍ୟୁ ଘଟିଛି

-ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି, ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୮ ଲକ୍ଷ ୮୬ ହଜାର ୬୧୧କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୬୫ରେ ପହଞ୍ଚିଛି

-ବ୍ରିଟେନରୁ ଭାରତକୁ ଆସୁଛି ୩ଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ପଣ୍ୟବାହୀ ବିମାନରେ ୧୮ ଟନ୍‍ ଓଜନର ପ୍ଲାଣ୍ଟ ଏବଂ  ୧୦୦୦ ଭେଣ୍ଟିଲେଟର ଆସୁଛି

-କରୋନାରେ ପ୍ରାଣ ହରାଇଲେ ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ତଥା ୧୯୮୦ ଅଲିମ୍ପିକର ସ୍ବର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍‌ ସିଂହ

-ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ୧୧ ହଜାର ୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି

-ରାଜ୍ୟ ସରକାର ୧୮-୪୪ ବର୍ଷ ବୟସର ନାଗରିକମାନଙ୍କ ପାଇଁ ମଗାଇଥିବା କୋଭିସିଲ୍ଡ ଟିକାର ଏକ ଲକ୍ଷ ପାନ ଭୁବନେଶ୍ବରରେ ପହଞ୍ଚିଲା

-ରାଜ୍ୟରେ ଆଜି ଆଉ ୭୬୬୪ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୩୯ ହଜାର ୩୨୨କୁ ବୃଦ୍ଧି ପାଇଛି

-ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଆଜି ୧୦୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୧୯

Comments are closed.