ଜାମ୍ମୁରୁ ୭କିଲୋ ଆଇଇଡି ଜବତ : ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ

ନର୍ସିଂ ଛାତ୍ରଙ୍କ ସମେତ ୪ ଗିରଫ

ଜାମ୍ମୁ : ପୁଲୱାମା ଆକ୍ରମଣର ଦ୍ବିତୀୟ ବର୍ଷପୂର୍ତ୍ତି ଅବସରରେ ରବିବାର ଆତଙ୍କବାଦୀଙ୍କ ଏକ ବଡ ଧରଣର ଆକ୍ରମଣ ଯୋଜନାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଛନ୍ତି। ରବିବାର ଜାମ୍ମୁ ବସଷ୍ଟାଣ୍ଡ ନିକଟରୁ ସୁରକ୍ଷାକର୍ମୀମାନେ ୭କିଲୋଗ୍ରାମ ବିସ୍ଫୋରକ (ଆଇଇଡି)ଜବତ କରିଛନ୍ତି। ଏହି ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜାମ୍ମୁ ଆଇଜିପି ମୁକେଶ ସିଂହଙ୍କ କହିବା ଅନୁଯାୟୀ ଗିରଫ ଅଭିଯୁକ୍ତ ହେଲେ ଚଣ୍ଡିଗଡର ନର୍ସିଂ ଛାତ୍ର ସୁହେଲ ବାସିଲ ଶାହା। ସୁହେଲର ଘର ହେଉଛି ପୁଲୱାମାର ନେୱା ଗ୍ରାମରେ ସେ ଚଣ୍ଡିଗଡର ଏକ କଲେଜରେ ନର୍ସିଂ ପାଠ ପଢୁଛି।

ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ସୁହେଲର ସାଙ୍ଗ କ୍ବାଜି ୱାସିମ୍। କ୍ବାଜି କାଶ୍ମୀରରେ ପାଠ ପଢୁଛି। ଏହା ସହିତ ଆବିଦ ନବି ଓ ସକିଲ ଖାଁଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି। ସେହିପରି ସାମ୍ବା ଜିଲାରୁ ପୁଲିସ ୬ଟି ପିସ୍ତଲ ଓ ୧୫ଟି ଛୋଟ ଆଇଇଡି ଜବତ କରିଛି। ପୁଲିସ କହିଛି ଯେ ରଘୁନାଥ ମନ୍ଦିର, ଜାମ୍ମୁ ରେଲୱେ ଷ୍ଟେସନ, ଲଖଦତ୍ତ ବଜାର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ଡିଜିପି ଦିଲବାଗ ସିଂହ କହିଛନ୍ତି ଯେ ନିଷ୍କ୍ରୀୟ ଅବସ୍ଥାରେ ଥିବା ଆତଙ୍କବାଦୀ ସଂଗଠନ ଅଲ ବାଦର ଓ ପଞ୍ଜାବରେ ପଢୁଥିବା କାଶ୍ମୀର ଛାତ୍ରଙ୍କୁ ସକ୍ରିୟ କରିବା ଲାଗି ପାକିସ୍ତାନ ଯୋଜନା ଚଳାଇଛି। ପୁଲୱାମା ବର୍ଷପୂର୍ତ୍ତି ପାଇଁ ଆତଙ୍କବାଦୀ ସଂଗଠନଗୁଡିକ ଆକ୍ରମଣ ଘଟାଇବାକୁ ଯୋଜନା କରିଥିବା ସୂଚନା ମିଳିଛି। ଏଥିପାଇଁ ୨-୩ଦିନ ହାଇଆଲର୍ଟ ଜାରି କରାଯାଇଛି। ଏହା ପୂର୍ବରୁ ଶନିବାର ଅନନ୍ତନାଗ ଜିଲାର ସାମ୍ବା ଅଞ୍ଚଳରୁ ଆତଙ୍କବାଦୀ ଜହୁର ଅହମ୍ମଦ ରାଠେରକୁ ପୁଲିସ ଗିରଫ କରିଥିଲା। ରାଠେର ଉପରେ ତିନି ବିଜେପି କର୍ମୀ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ରହିଛି। ରାଠେର ପାକିସ୍ତାନରେ ତାଲିମ ନେଇଛି।

Comments are closed.