ସେନା ଦିବସ ପରେଡରେ ପ୍ରଥମ ଥର ପାଇଁ ଏକାଠି ଉଡ଼ିଲା ୭୫ଟି ଡ୍ରୋନ୍

ସେନା ଦିବସରେ ପ୍ରଥମ ଥର ପାଇଁ ସେନା ପକ୍ଷରୁ ଡ୍ରୋନ୍ ଆକ୍ରମଣ ପ୍ରଦର୍ଶନ କରାଯାଇଛି। ଏଥିରେ କିଭଳି ଭାବେ ମନୁଷ୍ୟର ହସ୍ତକ୍ଷେପ ବିନା ଡ୍ରୋନ୍ ଶତ୍ରୁ ପକ୍ଷକୁ ସଠିକ୍ ଟାର୍ଗେଟ୍ କରିପାରିବେ ତାହା ପ୍ରଦର୍ଶନ କରାଯାଇଥିଲା। ଡ୍ରୋନ୍’ର ଏହି ଉପାୟରେ ବ୍ୟବହାର ଭବିଷ୍ୟତରେ ଯୁଦ୍ଧ କୌଶଳରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ବୋଲି କୁହାଯାଇଛି।

ସେନା ଦିବସ ଅବସରରେ ଅନେକ ଡ୍ରୋନ୍ ଶତ୍ରୁପକ୍ଷର ଟ୍ୟାଙ୍କ, ଆତଙ୍କବାଦୀ ଶିବିର, ହେଲିପ୍ୟାଡ ଓ ଇନ୍ଧନ ଷ୍ଟେସନ ଉପରେ କିଭଳି ଟାର୍ଗେଟ କରୁଛି ତାହା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ୭୫ଟି ଡ୍ରୋନ୍ ବ୍ୟବହାର କରାଯାଇଥିଲା। କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ଏହି ଡ୍ରୋନ୍ କୌଣସି ମାନବ ହସ୍ତକ୍ଷେପ ବିନା ୫୦ କିଲୋମିଟର ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରି ନଷ୍ଟ କରିପାରିଛି।

ଏହି ପ୍ରକ୍ରିୟାରେ ସମସ୍ତ ଡ୍ରୋନ୍ ପରସ୍ପର ସହିତ ଆଧୁନିକ ଜ୍ଞାନକୌଶଳ ସହଯୋଗରେ ଯୋଗାଯୋଗ କରନ୍ତି ଏବଂ ମିଶନକୁ କାର୍ଯ୍ୟକାରୀ କରନ୍ତି। ଭାରତୀୟ ସେନା ସହିତ ସ୍ୱଦେଶୀ କମ୍ପାନୀଗୁଡିକ ଆଜି ଡ୍ରୋନ୍ ସ୍ୱାର୍ମିଂ କୌଶଳ ପ୍ରଦର୍ଶନ କରିଥିଲେ। ଏକ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଅଗ୍ରସର ହେଉଥିବା ଭାରତର ଉନ୍ନତ ଜ୍ଞାନକୌଶଳ ପ୍ରଦର୍ଶନ ସ୍ୱରୂପ ଏଥିରେ ମଦର ଡ୍ରୋନ୍ ସିଷ୍ଟମ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ଦର୍ଶାଉଛି ଯେ ଗୋଟିଏ ମଦର ଡ୍ରୋନରୁ ୪ଟି ଚାଇଲଡ ଡ୍ରୋନ୍ ବାହାରି ଭିନ୍ନ ଭିନ ଲକ୍ଷ୍ୟସ୍ଥଳକୁ ନଷ୍ଟ କରିଦିଏ। ଏହି ଡ୍ରୋନ୍ ସାହାଯ୍ୟରେ ଯେକୌଣସି ସାମଗ୍ରୀ ପାରାଚ୍ୟୁଟ୍ ସ୍ଥାନାନ୍ତରଣ କରାଯାଇପାରିବ ଓ ସାମଗ୍ରୀ ଅବତରଣ କରାଯାଇପାରିବ ଏବଂ ପରେ ଏହି ଡ୍ରୋନଗୁଡ଼ିକର ସିଷ୍ଟମ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯିବ।

Comments are closed.