୭୪ ବର୍ଷର ସମସ୍ୟା ୭ଦିନରେ ସମାଧାନ

ନିର୍ମାଣ ହେଲା କାଠପୋଲ, ଗାଁବାସୀଙ୍କ ମୁହଁରେ ଫୁଟିଲା ହସ

ଫୁଲବାଣୀ : ଦୀର୍ଘ ବର୍ଷର ସମସ୍ୟା। ଗମନାଗମନ ଅଭାବରୁ ବର୍ଷ ବର୍ଷ ଧରି ଏକ ପ୍ରକାର ବନ୍ଦୀ ଜୀବନ ବିତାଉଥିଲେ। କାହାକୁ କହିଲେ କିଏ ବି ଶୁଣୁନଥିଲେ। ଦୟନୀୟ ଜୀବନ ବିତାଉଥିବା ଲୋକଙ୍କ ପାଖରେ ଦୂତ ଭାବେ ପହଞ୍ଚି ଥିଲା ଏକ ସ୍ବେଚ୍ଛାସେବୀ ସଙ୍ଗଠନ। ଏହି ସଙ୍ଗଠନର ପରାମର୍ଶରେ ନିଜ ସମସ୍ୟା ନିଜେ ସମାଧାନ କରିବାକୁ ଗାଁବାସୀ ଅଣ୍ଟା ଭିଡିଲେ । ନିଜସ୍ବ ଶ୍ରମଦାନରେ ମାତ୍ର ୭ ଦିନରେ ସମସ୍ୟାର ସମାଧାନ କରିପାରି ସରକାରଙ୍କ ଆଖି ଖୋଲି ଦେଇଛନ୍ତି। ନଦୀ ପାଇଁ ବନ୍ଦୀ ଜୀବନ ବିତାଉଥିବା ଗାଁବାସୀ ଏକ କାଠ ପୋଲ ସାତଦିନ ଭିତରେ ନିର୍ମାଣ କରି ଯାତାୟତ ପଥ ସୁଗମ କରିଛନ୍ତି। ଏଭଳି ଏକ ଘଟଣାର ଜ୍ବଳନ୍ତ ନିଦର୍ଶନ ହେଉଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକର ପର୍ତ୍ତମାହା ପଞ୍ଚାୟତର ଜାଗାଡ଼ି ଗ୍ରାମବାସିନ୍ଦା।
ଜାଗାଡି ଗ୍ରାମରେ ପ୍ରାୟ ୨୫୦ରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଦାରିଙ୍ଗବାଡ଼ି ସଦରମହକୁମାଠାରୁ ଏହି ଗ୍ରାମର ଦୂରତା ୨୫ କିଲୋମିଟର। ଗ୍ରାମର ୩୫ରୁ ଅଧିକ ପରିବାର ଆଜି ପର୍ଯ୍ୟନ୍ତ ଗମନାଗମନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ପ୍ରଶସାନ ପାଖରେ ଖବର ଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିଲା। ଚାଷ ଓ
ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ହେଉଛି ଏମାନଙ୍କ ମୁଖ୍ୟ ବେଉଷା। ହେଲେ ଗଁାବାସୀଙ୍କ ଚାଷଜମି ଗଁା ମୁହଁରେ ପ୍ରବାହିତ ନଦୀ ଆରପଟେ ରହିଛି। ଭରାନଦୀ ପାର କରି ଗାଁବାସୀ ଚାଷଜମି ସହ ଅନ୍ୟାନ୍ୟ ସ୍ଥାନକୁ ଚଳପ୍ରଚଳ କରୁଥିଲେ। ବର୍ଷାଦିନେ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ଯାତାୟତ ବନ୍ଦ ରହୁଥିଲା। ମହିଳାମାନେ ଜାଳେଣି କାଠ ପାଇଁ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଯିବାକୁ ହେଲେ ନଦୀଭିତର ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଥିଲେ। ଏହି କାରଣରୁ ବର୍ଷାଦିନେ ଲୋକେ ପରିବାର ପ୍ରତିପୋଷଣ କରିବାକୁ ଅସମର୍ଥ ହୋଇପଡୁଥିଲେ। ଅନେକ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯିବା ବେଳେ ଏକାଧିକ ଗ୍ରାମବାସୀ ଭାସି ଯାଇଥିବାର ନିଜର ବି ରହିଛି।
ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଯାତାୟତ ପାଇଁ ସୁବିଧା ଯୋଗାଉଥିବା କନ୍ଧମାଳର ସବୁଜ ବୈଦ୍ୟ ସଙ୍ଗଠନର ସମ୍ପାଦକ ଦୀନବନ୍ଧୁ ମହାରଣାଙ୍କୁ ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ। ସଙ୍ଗଠନର ସ୍ୱେଚ୍ଛାସେବୀମାନେ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କୁ ସେଚତନ କରିବା ସହିତ କାମ ବଦଳରେ ଖାଦ୍ୟ ଓ ପୋଷାକ ଯୋଗାଇ ଦେବାକୁ ଦିଲ୍ଲୀସ୍ଥିତ ଗୁଞ୍ଜ ଅନୁଷ୍ଠାନ ମଧ୍ୟ ସହଯୋଗର ହାତ ବଢାଇଥିଲା। ଗ୍ରାମରେ ବାରମ୍ବାର ବୈଠକ ପରେ ଉକ୍ତ ନଦୀ ଉପରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମବାସୀ ମିଳିତ ଭାବେ ପୁରୁଣା କାଠ ସଂଗ୍ରହ କରିବା ସହ ନିଜେ ଶ୍ରମଦାନ କରି ଉକ୍ତ ନଦୀ ଉପରେ ଏକ କାଠ ପୋଲ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି। ୭ଦିନର ପରିଶ୍ରମରେ କାଠ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏବେ ଗ୍ରାମବାସୀଙ୍କ ମୁହଁରେ ଖୁସି କହିଲେ ନସରେ। ଇଛା ଥିଲେ ମଧ୍ୟ ଉପାୟ ଓ ସହଯୋଗ ପାଉନଥିବାରୁ ଆଜି ପର୍ଯ୍ୟନ୍ତ ନାନା କଷ୍ଟରେ ନଦୀ ମଧ୍ୟ ଦେଇ ଯାତାୟତ କରୁଥିଲେ। ବର୍ତ୍ତମାନ ଗ୍ରାମରେ ଉକ୍ତ ନଦୀ ଉପରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଯାତାୟତ କରିବା ଆରମ୍ଭ କରିଛନ୍ତି ୩୫ ପରିବାର। ଜିଲା ପ୍ରଶାସନ ଉକ୍ତ ଗ୍ରାମ ପ୍ରତି ଦୃଷ୍ଟିଦେଇ ଏକ ସ୍ଥାୟୀ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗାଁବାସୀ ପୁଣି ଦାବି କରିଛନ୍ତି।

Comments are closed.