ଟିକା ନେଇଥିବା ୭ ମହିଳା କନଷ୍ଟେବଳ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥଳ ଚେକିଂ ପଏଣ୍ଟରେ ମୁତୟନ ୭ ମହିଳା କନଷ୍ଟେବଳ ଶନିବାର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଏମାନେ ସମସ୍ତେ ଗତ ଶୁକ୍ରବାର କରୋନା ଟିକା ନେଇଥିଲେ। ଡ୍ୟୁଟିରେ ଥିବା ସମୟରେ ଏହି ମହିଳା କନଷ୍ଟେବଳମାନଙ୍କର ମୁଣ୍ଡ ବୁଲାଇବା ସହିତ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ସେମାନଙ୍କୁ ଶ୍ରୀରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି କନଷ୍ଟେବଳମାନେ ରାମ ଜନ୍ମଭୂମିର ୩ଟି ଚେକିଂ ବୁଥ୍‌ରେ ମୁତୟନ ଥିଲେ। ହଠାତ୍‌ ସେମାନେ ଅସୁସ୍ଥ ହୋଇପଡ଼ିବା ଫଳରେ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଡାକ୍ତର କହିଛନ୍ତି ଯେ, ଚିନ୍ତା କରିବାର କୌଣସି କାରଣ ନାହିଁ। ଏସବୁ ସାଧାରଣ ଲକ୍ଷଣ। ଟିକା ନେବା ପରେ ଏପରି ସମସ୍ୟା ସୃଷ୍ଟି ହୋଇପାରେ। ସମସ୍ତଙ୍କ ରକ୍ତଚାପ ସାଧାରଣ ଅବସ୍ଥାରେ ଅଛି, ଏବଂ ସେମାନେ ସମସ୍ତେ ଠିକ୍‌ ଅଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଉତ୍ତରପ୍ରଦେଶରେ ୮୪ ହଜାର ୧୦୯ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏପରି ଭାବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭ ଲକ୍ଷ ୧୩ ହଜାର ୫୩୦ ଜଣଙ୍କୁ ଟିକାକରଣ କରାଯାଇଛି।

 

Comments are closed.