୭ହାତୀ ମୃତ୍ୟୁ ପ୍ରସଙ୍ଗ : ନବୀନଙ୍କ ହସ୍ତକ୍ଷେପ ଲୋଡ଼ିଲେ ମେନକା

0

ଭୁବନେଶ୍ୱର : ଓଡ଼ିଶାର ହାତୀ ଦେଶର ଗର୍ବ। ମାତ୍ର ଗତ କିଛିଦିନ ତଳେ ରାଜ୍ୟରେ ଏକ ସଙ୍ଗେ ବିଦ୍ୟୁତ୍‍ ସ୍ପର୍ଶରେ ୭ଟି ହାତୀଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ପରିତାପର ବିଷୟ। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନ୍‍କା ଗାନ୍ଧୀ ଚଳିତମାସ ୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଛନ୍ତି। ଶ୍ରୀମତୀ ଗାନ୍ଧୀ ଉକ୍ତ ପ୍ରସଙ୍ଗରେ ଉଦ୍‍ବେଗ ପ୍ରକାଶ କରିବା ସହିତ ଦର୍ଶାଇଛନ୍ତି ଯେ ହାତୀ ସୁରକ୍ଷା କ୍ଷେତ୍ରରେ ରାଜ୍ୟରେ ଅବହେଳା ହେଉଛି। ପରିସଂଖ୍ୟନରୁ ଜଣାଯାଇଛି ଯେ ଗତ ୭ବର୍ଷ ମଧ୍ୟରେ ଓଡ଼ିଶାରେ ୪୩୫ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ତା’ର ୨୮ ପ୍ରତିଶତ ତଥା ୧୨୪ଟି ହାତୀ କେବଳ ବିଦ୍ୟୁତ୍‍ ସ୍ପର୍ଶ ଯୋଗୁଁ ମୃତ୍ୟୁ ହୋଇଛି। ୨୦୧୦ରେ ଏ.କେ ବିଶ୍ୱାଳ କମିଟି ହାତୀ ସୁରକ୍ଷା ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବା ସତ୍ତ୍ବେ ସରକାରଙ୍କ ପକ୍ଷରୁ ସେଭଳି କିଛି ଠୋସ୍‍ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ହାତୀମାନଙ୍କ ଗତିପଥ ଦେଇ ଯାଇଥିବା ବିଦ୍ୟୁତ୍‍ ତାରକୁ କେବୁଲରେ ପରିଣତ କରିବା ସହିତ ହାତୀମାନଙ୍କ ସଂରକ୍ଷଣ ସ୍ଥାନରେ ବାଡବନ୍ଦୀ କରିବା ଭଳି ପଦକ୍ଷେପ ଗ୍ରହଣ କରିବା ଅଭାବରୁ ଆଜି ହାତୀମାନେ ମୃତ୍ୟୁମୁଖରେ ପଡୁଛନ୍ତି। ବିଦ୍ୟୁତ୍‍ ସରାବରାହକାରୀ ସଂସ୍ଥାମାନେ ମଧ୍ୟ ବିଶ୍ୱାଳ କମିଟି ନିର୍ଦେଶନାମାକୁ ଅନୁସରଣ କରୁନାହାନ୍ତି। ଯାହାଫଳରେ ହାତୀମାନେ ଅନାୟାସରେ ବିଚରଣ କଲାବେଳେ ବିଦ୍ୟୁତ୍‍ ସ୍ପର୍ଶରେ ଆସି ମୃତ୍ୟୁବରଣ କରୁଛନ୍ତି ବୋଲି ଶ୍ରୀମତୀ ଗାନ୍ଧୀ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଏସଂକ୍ରାନ୍ତରେ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‍ଜିଟି) ପକ୍ଷରୁ ବିଦ୍ୟୁତ୍‍ ବିଭାଗକୁ ୧କୋଟି ଟଙ୍କାର ଜୋରିମାନା କରାଯାଇଛି। ଯେଉଁ ବିଭାଗୀୟ ଅଧିକାରୀ ବିଶ୍ୱାଳ କମିଟିର ମାର୍ଗଦର୍ଶିକାକୁ ଅନୁସରଣ କରିନାହାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Leave A Reply