ଦିଲ୍ଲୀରେ ୭ ଦିନ ଯାଏ ଲାଗୁ ହୋଇପାରେ କର୍ଫ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ୨ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିଛିଦିନ ମଧ୍ୟରେ ଏଠାରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲରେ ଶଯ୍ୟାର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏପରି ସ୍ଥଳେ କରୋନାର ମୁକାବିଲା ପାଇଁ କେଜ୍ରିୱାଲ ସରକାର କଡ଼ା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସପ୍ତାହନ୍ତ ଲକଡାଉନ ଭଳି ଦିଲ୍ଲୀରେ ୭ ଦିନିଆ କର୍ଫ୍ୟୁ ଲଗାଇବାକୁ ସରକାର ଯୋଜନା କରିଥିବା ଜଣାପଡ଼ିଛି। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ରାତିରୁ ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। କର୍ଫ୍ୟୁ ସମୟରେ ସମସ୍ତ ମଲ୍‌, ଜିମ୍‌, ସ୍ପା, ଅଡିଟୋରିୟମ, ଆସେଂବ୍ଲି ହଲ୍‌, ଏଣ୍ଟରଟେନମେଣ୍ଟ ପାର୍କ ଆଦି ବନ୍ଦ ରହିବ। ରେଷ୍ଟୁରାଣ୍ଟଗୁଡ଼ିକରେ ଖାଇବା ଉପରେ କଟକଣା ଲାଗୁ ହେବ। କେବଳ ହୋମ ଡେଲିଭରି ଏବଂ ଖାଦ୍ୟ ପ୍ୟାକେଟ୍‌ ନେବାକୁ ଅନୁମତି ଦିଆଯିବ। ହସ୍ପିଟାଲ, ସରକାରୀ କର୍ମଚାରୀ, ପୁଲିସ, ବିଦ୍ୟୁତ, ପାନୀୟଜଳ, ସଫେଇ କର୍ମଚାରୀଙ୍କୁ କର୍ଫ୍ୟୁରୁ ବାଦ୍‌ ଦିଆଯିବ।

Comments are closed.