ନବରଙ୍ଗପୁରରେ ୭ କରୋନା ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ ଅଭିଯୋଗ

୬ଜଣ କୋଭିଡ ଡାକ୍ତରଖାନାରେ ଭର୍ତ୍ତି, ୬ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ନବରଙ୍ଗପୁର : ଦୀର୍ଘ ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲାରେ ୭ଜଣ କରୋନରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏସଂପର୍କରେ ଗୁରୁବାର ଅପରାହ୍ନରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଥିବା ଜଣାପଡିଛି। ଆକ୍ରାନ୍ତଙ୍କର ମଧ୍ୟରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ, ୪ଜଣ ବିଏସଏଫ ଯବାନ ରହିଥିବାବେଳେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ କରୋନା ପରୀକ୍ଷା ପୂର୍ବରୁ ମଧୁମେହ ଓ ଯକୃତ ରୋଗରେ ପୀଡିତ ଥିଲେ। ସେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ। ତେବେ ୧୭ ତାରିଖ ସନ୍ଧ୍ୟାରେ ତାଙ୍କର କରୋନା ପଜିଟିଭ୍‍ ଆସିଥିବା କହିଥିଲେ। ତେବେ ଏହି ସମସ୍ତଙ୍କର କରୋନା ପିଜିଟିଭ ଆକ୍ରାନ୍ତଙ୍କର ସହିତ କେଉଁମାନେ ସଂପର୍କରେ ଆସିଥିଲେ ତାର ଖୋଜାଚାଲିଛି।

ଆକ୍ରାନ୍ତ ୩ଜଣ ତେନ୍ତୁଳିଖୁଣ୍ଟି ବ୍ଳକର ଇନ୍ଦ୍ରାବତୀ ଅଞ୍ଚଳର ହୋଇଥିବାବେଳେ ୪ଜଣ ଯବାନ ନବରଙ୍ଗପର ବ୍ଳକ ଅନ୍ତର୍ଗତ ସରକାରୀ ପଲିଟେକନିକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁଥିଲେ। ସେମାନେ ରାଜ୍ୟବାହାରୁ ଆସିଥିବା ଜଣାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଳକର କୁର୍ମାକୋଟ ଛକ ଅଞ୍ଚଳ, ଖାତିଗୁଡାର ଫଟାଗୁଡା ପ୍ରକଳ୍ପ କଲୋନୀ, ପରଜା ବାରେଙ୍ଗପଦର ଟିଏମସି, ଡଙ୍ଗାସିଲର ହରିଜନ ସାହି, ମଞ୍ଚାଗାଁର ଟିଏମସି ଓ ନବରଙ୍ଗପୁର ଅଗ୍ନିପୁର ସରକାରୀ ପଲିଟେକନିକ ଟିଏମସିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ସମସ୍ତ ଆକ୍ରାନ୍ତଙ୍କର ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଉଥିବା କହିଥିଲେ। ମହିଳା ସ୍ୱାସ୍ଥ୍ୟକର୍ମୀ କେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ତାର ସବିଶେଷ ତଦନ୍ତ କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ମୃତ୍ୟୁବରଣ କରିଥିବା ଯୁବକ ନବରଙ୍ଗପୁର ଜିଲା-ମୁଖ୍ୟଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେଣୁ ଏଥିରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ ମାନଙ୍କର ମଧ୍ୟ ସ୍ୱାସ୍ଥ୍ୟପରୀକ୍ଷା କରାଯିବା ସହ ଆଇସିୟୁରେ ରହୁଥିବା ଅନ୍ୟାନ୍ୟ ରୋଗୀମାନଙ୍କୁ ଅନ୍ୟତ୍ର ନିଆଯାଇ ସାନିଟାଇଜ କରାଯିବ ବୋଲି ଜଣାଯାଇଛି। ତେବେ ସମସ୍ତ ଆକ୍ରାନ୍ତକାରୀଙ୍କୁ ବୁଧବାର ରାତ୍ରରେ ହିଁ ନବରଙ୍ଗପୁର କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହାକୁ ନେଇ ଭୟବୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲାପାଳ ଡଃ.ମିଶ୍ର କହିଛନ୍ତି। ଜିଲାବାସୀ ସମସ୍ତେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ ସହ ଅନାବଶ୍ୟକ ଭାବେ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ବାରେଙ୍ଗପଦର ପଞ୍ଚାୟତର ସରପଞ୍ଚ ବିଜୟ ଝୋଡିଆ ଏହି ପଞ୍ଚାୟତ ଅଞ୍ଚଳକୁ ୪୮ଘଣ୍ଟା ପାଇଁ ସଟ୍‍ଡାଉନ ଓ କର୍ଫ୍ୟୁ ଜାରି କରିଛନ୍ତି। ଏହି ପଞ୍ଚାୟତର ପ୍ରାଥମିକ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର କରୋନା ପଜିଟିଭ ବାହରିଥିବାରୁ ଜନସାଧାରଣଙ୍କର ସୁରକ୍ଷା ଦୃଷ୍ଟିରୁ ସଟଡାଉନ ଘୋଷଣା କରିବାକୁ ବାଧ୍ୟ ହେଉଥିବା ଘୋଷଣା କରିଛନ୍ତି। ଜିଲାପ୍ରଶାସନ ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଳକର ୩ଟି ଟିଏମସି କେନ୍ଦ୍ର ଓ ନବରଙ୍ଗପୁରବ୍ଳକର ଗୋଟିଏ ଟିଏମସି କେନ୍ଦ୍ରର ତଦାରଖପାଇଁ  ସଂପୃକ୍ତ ବ୍ଲକର ବିଡିଓ, ତହସିଲଦାର ଓ ଡାକ୍ତରଙ୍କର ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ମୃତଯୁବକ ଦାଦନ ଶ୍ରମିକ  ଭାବେ ରାଜ୍ୟବହାରକୁ ଯାଇ ଫେରିବା ପରେ ଅସୁସ୍ଥ କାରଣରୁ ଜିଲା ଡାକ୍ତରଖାନାରେ ଚିକିତ୍ସିତ ହେବା ଓ ତାଙ୍କର ମୃତ୍ୟୁ ପରେ ଶବ ସଂସ୍କାରରେ ତାଙ୍କର ଗାଁ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେବା ନେଇ ଲୋକଙ୍କର ମଧ୍ୟରେ ଭୟ ସୃଷ୍ଟି କରିଛି। ତେବେ ପ୍ରଥମଥର ପାଇଁ ଜିଲାରେ ଗୋଟିଏ ଦିନରେ ୭ଜଣ କରୋନ ପଜିଟିଭ ବାହାରିବା ସହ ଜଣକର ମୃତ୍ୟୁ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.