ଋଣ ଛାଡ ନାଁରେ କଂଗ୍ରେସ କୃଷକମାନଙ୍କୁ ଲଲିପପ୍ ଧରାଇ ଦେଇଛି : ମୋଦୀ

0

ନୂଆଦିଲ୍ଲୀ : କୃଷି ଋଣ ଛାଡ ନେଇ କଂଗ୍ରେସ କୃଷମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। କୃଷକମାନଙ୍କର ଋଣଛାଡ କରିବା ପରିବର୍ତ୍ତେ ତାଙ୍କ ସରକାର ସେମାନଙ୍କୁ ଲଲିପପ୍ ଧରାଇ ଦେଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ଉତ୍ତର ପ୍ରଦେଶର ଘାଜିପୁରଠାରେ ମହାରାଜା ସୁହେଲଦେଓଙ୍କ ସ୍ମୃତିରେ ଏକ ଡାକଟିକଟ ଉନ୍ମୋଚନ କରିବା ସହ ସେଠାରେ ଜନ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।  ନିଜର ପ୍ରତିଶ୍ରୁତି ପୂରଣ କରିବାରେ କଂଗ୍ରେସ ବିଫଳ ହୋଇଥିବା ଦର୍ଶାଇ କଂଗ୍ରେସକୁ ଶ୍ରୀ ମୋଦୀ ଅକ୍ଷେପ କରିଛନ୍ତି। କର୍ଣ୍ଣାଟକରେ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରର ମାତ୍ର ୮୦୦ କୃଷକଙ୍କୁ କୃଷି ଋଣ ଛାଡ କରିଛନ୍ତି । ଏକ ଲଲିପପ୍ କମ୍ପାନୀ ଭଳି ସେମାନେ କୃଷକଙ୍କୁ ଲଲିପପ୍ ଧରାଇ ଦେଇଛନ୍ତି ବୋଲି କହି ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉତ୍ତର ପ୍ରଦେଶ ଗସ୍ତରେ ଯାଇ ବାରଣାସୀ ଓ ଘାଜିପୁରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପର ଓ ଶିଳାନ୍ୟାସ କରିଛନ୍ତି।  ସେ ବାରଣାସୀଠାରେ ଷଷ୍ଠ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ-ଏସିଆ ଆଞ୍ଚଳିକ କେନ୍ଦ୍ରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।  ବାରଣାସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦୀନଦୟାଲ ହସ୍ତ କଳା ସଙ୍କୁଳଠାରେ ‘‘ ଏକ ଜିଲ୍ଲା ଏକ ସାମଗ୍ରୀ ’’ ଶୀର୍ଷକ ଏକ ଆଞ୍ଚଳିକ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ। ଏହି  ଗସ୍ତ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବିହନ ଗବେଷଣା ଓ ତାଲିମ କେନ୍ଦ୍ର ପରିସରେ ନିର୍ମିତ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ-ଏସିଆ ଆଞ୍ଚଳିକ ସଂସ୍ଥାନ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି । ଏହି କେନ୍ଦ୍ର ଦକ୍ଷିଣ-ଏସିଆ ଓ ସାର୍କ ଅଞ୍ଚଳରେ ଧାନ ଗବେଷଣା ଓ ପ୍ରଶିକ୍ଷଣର ଏକ ପ୍ରମୁଖ କେନ୍ଦ୍ର ରୂପେ ଉଭା ହେବ । ପ୍ରଥମକରି ପ୍ରତିଷ୍ଠା କରାଯାଇଥିବା ଏହି କେନ୍ଦ୍ର ପୂର୍ବ-ଭାରତରେ ମଧ୍ୟ ପୋଷଣୀୟ ଧାନ ଉତ୍ପାଦନ ଓ ଏହାର ଉପଯୋଗ ଉପରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ମାନିଲାଠାରେ ପ୍ରତିଷ୍ଠା କରାଯାଇଥିବା ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ ସହିତ ୧୯୬୦ରୁ ଭାରତର ସମ୍ବନ୍ଧ ରହିଛି । ତେବେ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହିସାବରେ ଏହି ପ୍ରତିଷ୍ଠାନର ମୁଖ୍ୟାଳୟକୁ ୨୦୧୭ ନଭେମ୍ବରରେ ଗସ୍ତ କରିଥିଲେ । ଯେଉଁଠାରେ କି ସେ କୃଷି ସଂକ୍ରାନ୍ତ ନବସୃଜନ ଏବଂ ଧାନ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ଗବେଷଣାର ପ୍ରଗତି ନେଇ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଶ୍ରୀ ମୋଦୀ ବାରଣାସୀଠାରେ ଦୀନଦୟାଲ ହସ୍ତକଳା ସଙ୍କୁଳ ପରିସରରେ ଏକ ଜିଲ୍ଲା ଏକ ସାମଗ୍ରୀ ସଂକ୍ରାନ୍ତ ଆଞ୍ଚଳିକ ଶିଖର ସମ୍ମିଳନରେ ଅଂଶଗ୍ରହଣ କରିବେ । “ଏକ ଜିଲ୍ଲା ଏକ ସାମଗ୍ରୀ” ଯେଜନାର ଲକ୍ଷ୍ୟ ହେଲା ସ୍ଥାନୀୟ ଲୋକଙ୍କ ଦକ୍ଷତା ବୃଦ୍ଧି ଏବଂ ନିଜ ଅଞ୍ଚଳର ପାରମ୍ପରିକ ହସ୍ତକଳା ସାମଗ୍ରୀ ଓ ବ୍ୟବସାୟକୁ ବୃଦ୍ଧି କରିବା। ଯାହାଫଳରେ ଛୋଟ ଛୋଟ ସହର ଓ ଜିଲ୍ଲାରୁ ପ୍ରସ୍ତୁତ ସାମଗ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିବ । ଏହିସବୁ ସାମଗ୍ରୀ ମଧ୍ୟରେ ରହିଛି ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀ, ଇଞ୍ଜିନିୟରିଂ ସାମଗ୍ରୀ, ଗାଲିଚା, ରେଡିମେଡ ପୋଷାକ, ଚମଡା ସାମଗ୍ରୀ ଆଦି ଅନ୍ତର୍ଭୁକ୍ତ । ଏହିସବୁ ସାମଗ୍ରୀ ପାଇଁ ଦେଶ ବିଦେଶରେ ବଜାର ସୃଷ୍ଟି କରାଗଲେ ବିପୁଳ ବୈଦେଶିକ ମୁଦ୍ରା ଉପାର୍ଜନ ସହ ନିଯୁକ୍ତ ସୁଯୋଗ ମଧ୍ୟ ସୃଷ୍ଟି ହେବ।

Leave A Reply