‘ଛିଛୋରେ’ ପାଇଲା ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର, କଙ୍ଗନା ରଣାୱତ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

୩ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ଆଜି ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ ଘୋଷଣା କରାଯାଇଛି। ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ‘ଭୋସ୍‌ଁଲେ’ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ହୋଇଥିବାବେଳେ ‘ଅସୁରନ୍‌’ ପାଇଁ ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।
ସିକିମ୍‌କୁ ଫିଲ୍ମ ସୁଟିଂ ପାଇଁ ପ୍ରିୟ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମିଳିଛି | ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ‘ଦ ତାସ୍‌କେଣ୍ଟ’ ଫିଲ୍ମ ପାଇଁ ପଲ୍ଲଭୀ ଯୋଶୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଶ୍ରେଷ୍ଠ ସହ ଅଭିନେତା ପାଇଁ ଫିଲ୍ମ ‘ସୁପର ଡିଲକ୍ସ’ ଲାଗି ବିଜୟ ସେତୁପତି ପୁରସ୍କୃତ ହୋଇଛନ୍ତି।
ସେହିପରି ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ରେ ୩ ଓଡ଼ିଆ ଫିଲ୍ମ ସ୍ଥାନ ପାଇଛି। ଏଥର ୩ଟି ଓଡ଼ିଆ ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଛି। ‘ଶଲାବୁଢ଼ାର ବଦ୍‌ଲା’ ଏବଂ ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଉଭୟ ଓଡ଼ିଆ ଫିଲ୍ମ ଯୁଗ୍ମ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛି। ଓଡ଼ିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ନନ୍‌ ଫିଚର ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’ ଏବଂ ଶ୍ରେଷ୍ଠ କଳା ଓ ସାଂସ୍କୃତିକ ଚଳଚ୍ଚିତ୍ର ଭାବେ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ବିବେଚିତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଚଳଚ୍ଚିତ୍ର ‘କାଲିର ଅତୀତ’ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ‘ଶ୍ରୀକ୍ଷେତ୍ରରୁ ସାହିଯାତ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ଏବଂ ‘ଶଲା ବୁଢ଼ାର ବଦଲା’ର ନିର୍ଦ୍ଦେଶକ ଡଃ. ସବ୍ୟସାଚୀ ମହାପାତ୍ର ଓ ସମସ୍ତ କଳାକାରମାନଙ୍କୁ ମୋର ଶୁଭେଚ୍ଛା।

ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ପ୍ରତିବର୍ଷ ମେ ୩ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ୨୦୨୦ରେ ଏହା ବାତିଲ ହୋଇଥିଲା। କରୋନା ସଂକ୍ରମଣ ଲାଗି ୨୦୧୯ ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇପାରି ନ ଥିଲା। ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି।

Comments are closed.