ନୂଆବର୍ଷରେ ୬୭ ହଜାର ୩୮୫ ଶିଶୁ ଜନ୍ମ

ନୂଆଦିଲ୍ଲୀ: ଜାନୁଆରୀ ୧ ନୂଆବର୍ଷ ଦିନରେ ବିଶ୍ବରେ ପ୍ରାୟ ୩୯ଲକ୍ଷ ୨ହଜାର ୮୭ ଶିଶୁ ଜନ୍ମ ଗ୍ରହଣ କରିଥିବା ୟୁନିସେଫ ପକ୍ଷରୁ ଆକଳନ କରାଯାଇଛି। ବୁଧବାର ନୂଆବର୍ଷରେ ଜନ୍ମ ହୋଇଥିବା ଏହି ଶିଶୁଙ୍କ ମଧ୍ୟରୁ ଭାରତରେ ୬୭, ୩୮୫ ଶିଶୁ ଜନ୍ମ ନେଇଛନ୍ତି; ଯାହାକି ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବାଧିକ। ଜନସଂଖ୍ୟା ଦୃଷ୍ଟିରୁ ଚୀନ ବିଶ୍ବର ସର୍ବବୃହତ ରାଷ୍ଟ୍ର ହୋଇଥିବାବେଳେ ଏହି ଶିଶୁ ଜନ୍ମକ୍ଷେତ୍ରରେ ଭାରତ ପଡୋଶୀ ଚୀନକୁ ପଛରେ ପକାଇ ଦେଇଛି। ନୂଆବର୍ଷର ପ୍ରଥମ ଦିନରେ ଚୀନରେ ୪୬,୨୯୯ ଶିଶୁ ଜନ୍ମ ହୋଇଥିବା ରେକର୍ଡ କରାଯାଇଛି; ଯାହା ବିଶ୍ବରେ ଦ୍ବିତୀୟ ସର୍ବାଧିକ। ୟୁନିସେଫ କାର୍ୟ୍ୟକାରୀ ନିର୍ଦେଶକ ହେନରିଏଟ୍ଟା ଫୋର କହିଛନ୍ତି ନୂଆବର୍ଷ ଓ ନୂଆ ଦଶନ୍ଧି ଆରମ୍ଭ ଆମକୁ ଆମର ଆଶା ଓ ଆକାଂକ୍ଷାକୁ ପ୍ରତିଫଳନ କରିବାର ସୁଯୋଗ ଦେଇଛି। ଏହା ଆମର ଭବିଷ୍ୟତ ପିଢି ପାଇଁ ଚିନ୍ତା କରିବାର ଅବସର ଆଣିଦେଇଛି। ପ୍ରତିବର୍ଷ ଜାନୁଆରୀରେ ନୂଆବର୍ଷ ଆରମ୍ଭରେ ଆମେ ଭବିଷ୍ୟତ ପିଢି ବାବଦରେ ସଚେତନ କରାଇଥାଉଁ। ଶିଶୁଟିକୁ ଯେପରି ଆଗ୍ରହର ସହିତ ଆଲିଙ୍ଗନ କରିଥାଉ ସେହିପରି ତାର ସୁରକ୍ଷିତ ଭବିଷ୍ୟତ ପାଇଁ ମଧ୍ୟ ଆମ ମନରେ ଆଗ୍ରହ ଓ ଚିନ୍ତା ଜାଗ୍ରତ ହେବା ଦରକାର ବୋଲି ସେ କହିଛନ୍ତି।

୨୦୧୯ରୁ ଜନ୍ମସଂଖ୍ୟା ଆକଳନ ଅନୁଯାୟୀ ଚୀନର ଜନସଂଖ୍ୟା ୧୪୩ କୋଟି ରହିଥିବାବେଳେ ଭାରତ ଜନସଂଖ୍ୟା ୧୩୭ କୋଟି। ଏହି ଦୁଇ ରାଷ୍ଟ୍ର ବିଶ୍ବର ମୋଟ ଜନସଂଖ୍ୟାର ଯଥାକ୍ରମେ ୧୯ ଓ ୧୮ ପ୍ରତିଶତ ଧାରଣ କରିଥାନ୍ତି। ଜନସଂଖ୍ୟା ଆକଳନ ଦୃଷ୍ଟିରୁ ଚୀନ ଠାରୁ ପଛରେ ରହିଥିଲେ ମଧ୍ୟ ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶ। କାରଣ ଏଠାରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ହେଉଛି ୧୫୦କୋଟି।

ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଫିଜିରେ ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ପ୍ରଥମ ଶିଶୁ ଜନ୍ମ ଦେଇଥିବାବେଳେ ଆମେରିକାରେ ଶେଷ ଶିଶୁ ଜନ୍ମ ଦେଇଥିଲା। ବୁଧବାର ବିଶ୍ବରେ ଜନ୍ମ ହୋଇଥିବା ଶିଶୁଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଶିଶୁ ୮ଟି ରାଷ୍ଟ୍ର ଭାରତ (୬୭,୩୮୫), ଚୀନ (୪୬,୨୯୯), ନାଇଜେରିଆ (୨୬,୦୩୯), ପାକିସ୍ତାନ (୧୬,୭୮୭), ଇଣ୍ଡୋନେସିଆ (୧୩,୦୨୦), ଆମେରିକା (୧୦,୪୫୨), କଙ୍ଗୋ (୧୦, ୨୪୭) ଓ ଇଥିଓପିଆ (୮,୪୯୩)ରେ ଜନ୍ମ ଗ୍ରହଣ କରିଛନ୍ତି। ପ୍ରତିବର୍ଷ ନୂଆବର୍ଷରେ ଜନ୍ମ ହେଉଥିବା ଶିଶୁଙ୍କ ସଂଖ୍ୟା ୟୁନିସେଫ ଆକଳନ କରିଥାଏ। ଏହି ଦିନଟିକୁ ପିଲାମାନଙ୍କ ପାଇଁ ଶୁଭଦିନ ବୋଲି ବିଚେଚନା କରିଥାଏ।

୨୦୧୮ରେ ବିଶ୍ବରେ ୨୫ଲକ୍ଷ ଶିଶୁ ଜନ୍ମ ହେବାର ପ୍ରଥମ ମାସକ ମଧ୍ୟରେ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଜନ୍ମର ପ୍ରଥମ ଦିନରେ ପ୍ରାଣ ହରାଇଥିଲେ। ଅଧିକାଂଶ ଶିଶୁ ଅପରିପକ୍ବ ଅବସ୍ଥାରେ ଜନ୍ମ ନେଇଥିଲେ; ଫଳରେ ସେମାନେ ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୋଇଥିଲେ। ଏହା ସହିତ ପ୍ରତିବର୍ଷ ୨୫ଲକ୍ଷରୁ ଅଧିକ ଶିଶୁ ମୃତ ଅବସ୍ଥାରେ ଜନ୍ମ ନେଇଥାନ୍ତି। ତେବେ ଶିଶୁ ସୁରକ୍ଷା କ୍ଷେତ୍ରରେ ବିଶ୍ବ ବହୁତ ଅଗ୍ରଗତି କରିଥିବା ୟୁନିସେଫ କହିଛି; କାରଣ ଜନ୍ମ ହେବାର ୫ବର୍ଷ ମଧ୍ୟରେ ବିଶ୍ବରେ ଶିଶୁ ମୃତ୍ୟୁ ହାର ଅର୍ଦ୍ଧାଧିକ ହ୍ରାସ ପାଇଛି। ତେବେ ନବଜାତ ଶିଶୁ ମୃତ୍ୟୁହାର କମ୍‌ କରିବାରେ ମନ୍ଥର ଅଗ୍ରଗତି ହେଉଛି।

Comments are closed.