ଲଘୁ ଖଣିଜ ସମ୍ପଦରୁ ବାର୍ଷିକ ୨ ହଜାର କୋଟି ଟଙ୍କା ରାଜସ୍ବ ଲକ୍ଷ୍ୟ

ଗଞ୍ଜାମ ଜିଲାରେ ସର୍ବାଧିକ ୬୪୩   ଲଘୁ ଖଣିଜ ସମ୍ପଦ ଉତ୍ସ

ଭୁବନେଶ୍ଵର: ରାଜ୍ୟର ଲଘୁ ଖଣିଜ ସମ୍ପଦ ଉତ୍ସଗୁଡ଼ିକରୁ ବାର୍ଷିକ ୨ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି ସରକାର । ବାଲି, ପଥର, ମୋରମ ପରି ଲଘୁ ଖଣିଜ ସମ୍ପଦଗୁଡ଼ିକରୁ ନାମମାତ୍ର ରାଜସ୍ବ ଆଦାୟ ହେଉଛି, ତେଣୁ ଏହାକୁ ଗୁରୁତ୍ଵ ଦେବା ସହ ଉତ୍ସଗୁଡ଼ିକର ସନ୍ଧାନ, ଏହାର ପରିବେଶ ମଞ୍ଜୁରୀ, ଅନୁମୋଦନ ଓ ନିଲାମ କାର୍ଯ୍ୟରେ ବିଳମ୍ବ ନ କରିବାକୁ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଜିଲାପାଳ  ଓ ଅତିରିକ୍ତ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ୫-ଟି ଫ୍ରେମୱାର୍କରେ ଲଘୁ ଖଣିଜ ସଂପଦ ଉତ୍ସ ଓ ଏହାର ପରିଚାଳନା ସଂକ୍ରାନ୍ତ​‌ ନେଇ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ ।  ବିଭିନ୍ନ ଜିଲାସ୍ତରରୁ ମିଳିଥିବା ତଥ୍ୟ ଆଧାରରେ ଏହି ବୈଠକ ଅନୁଷ୍ଠିତ ହୋଇଛି ଏବଂ ଜୁଲାଇମାସ ଶେଷ ସୁଦ୍ଧା ଚିହ୍ନଟ ଉତ୍ସଗୁଡ଼ିକ ନେଇ ଆଲୋଚନା ହୋଇଛି । ରାଜ୍ୟର ୩୦ ଜିଲାରେ ମୋଟ ୪୬୯୩ଟି ଲଘୁ ଖଣିଜ ସମ୍ପଦ ଉତ୍ସ ଚିହ୍ନଟ ହୋଇଥିବା ବୈଠକରୁ ଜଣାପଡ଼ିଛି ।

ଖଣି ଓ ଇସ୍ପାତ ବିଭାଗର ଆଇ-୩ଏମଏସ୍ ଢ଼ାଞ୍ଚାରେ ଲଘୁଖଣିଜ ସମ୍ପଦ ପରିଚାଳନା ନିମନ୍ତେ ଆଇ-୪ଏମଏସ୍ ବ୍ୟବସ୍ଥାର ଉନ୍ନତିକରଣ କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ଵ ଦେଇଛନ୍ତି । ଲଘୁ ଖଣିଜ ସଂପଦଗୁଡ଼ିକର ଉପଯୁକ୍ତ ପରିଚାଳନା କରାଗଲେ ରାଜ୍ୟକୁ ବାର୍ଷିକ ଅନ୍ୟୂନ ୨ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହୋଇପାରିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।
ଏହି ଅବସରରେ ମୁଖ୍ୟ ସଚିବ ତହସିଲଦାରମାନଙ୍କ ଦ୍ବାରା ଦାଖଲ ହୋଇଥିବା ମାଇନିଂ ପ୍ଲାନଗୁଡ଼ିକୁ ଅନୁଧ୍ୟାନ କରି କାର୍ଯ୍ୟାନ୍ବୟନ କରିବା ସହ ପରିବେଶ ପ୍ରଭାବ ଆକଳନ କରାଯାଇ ଏହାକୁ ମଞ୍ଜୁରୀ ଦେବା ଉପରେ ଗୁରୁତ୍ଵ ଦେଇଛନ୍ତି ।

 

ରାଜ୍ୟର ସବୁଠାରୁ ଅଧିକ ଲଘୁ ଖଣିଜ ସମ୍ପଦ ଉତ୍ସ ଗଞ୍ଜାମ ଜିଲାରେ ରହିଛି । ଏହି ଜିଲାରେ ୬୪୩ଟି ଲଘୁ ଖଣିଜ ସମ୍ପଦ ଉତ୍ସ ଥିବା ଜଣାପଡ଼ିଛି । ଅନୁରୂପ ଭାବରେ ବଲାଙ୍ଗିର, ବାଲେଶ୍ଵର, ବରଗଡ଼, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ଆଦି ଜିଲାରେ ମଧ୍ୟ ଲଘୁ ଖଣିଜ ସମ୍ପଦର ଅନେକ ଉତ୍ସ ରହିଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭରଚ୍ୟୁଆଲ ବୈଠକରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ।

ଲଘୁ ଖଣିଜ ସମ୍ପଦ ବିଭାଗ ନିର୍ଦେଶକ ବିଭୁତି ଭୂଷଣ ଦାସଙ୍କ ସୂଚନା ଅନୁସାରେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ମୋଟ ଉତ୍ସଗୁଡ଼ିକ ମଧ୍ୟରୁ ୧୪୫୭ଟି ନିଲାମ ଓ କାର୍ଯ୍ୟକ୍ଷମ ହୋଇଛି । ଗତ ଆର୍ଥିକ ବର୍ଷରେ ଏହି ସୂତ୍ରରୁ ୩୦୩.୪୭ କୋଟି ଟଙ୍କା ରାଜସ୍ବ ମିଳିଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୬୮୦.୬କୋଟି ଟଙ୍କାରେ ପହଞ୍ଚିଛି । ଏହି ଅବସରରେ ମୁଖ୍ୟ ସଚିବ ଜିଲାପ୍ରଶାସନଗୁଡ଼ିକ ଲଘୁ ଖଣିଜ ସମ୍ପଦଗୁଡ଼ିକର ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରିବା ଏବଂ ଏହାକୁ ଶୃଙ୍ଖଳିତ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହାସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଲଘୁ ଖଣିଜ ସମ୍ପଦ ନିର୍ଦେଶାଳୟକୁ ସୁଦୃଢ଼ କରିବା ଏବଂ ବୈଷୟିକ ଓ ମାନବସମ୍ବଳ ବିକାଶ କରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଏହା ଦ୍ବାରା ଆବଶ୍ୟକ ପଡ଼ିଲେ ଓରସାକରୁ ଉପଗ୍ରହ ଆଧାରିତ ତଥ୍ୟ  ଆଧାରରେ ମାଇନିଂ ପ୍ଲାନ ପ୍ରସ୍ତାବଗୁଡ଼ିକୁ ମଞ୍ଜୁର ଦିଆଯାଇ ପାରିବ ।

ଏହି ଅବସରରେ ବିଭିନ୍ନ ଜିଲାର ଜିଲାପାଳ ଓ ଅତିରିକ୍ତ ଜିଲାପାଳ (ରାଜସ୍ବ)ମାନଙ୍କୁ ଲଘୁ ଖଣିଜ ସାମଗ୍ରୀ ସଂକ୍ରାନ୍ତ ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରି ତ୍ଵରିତ ପ୍ରକ୍ରିୟାକରଣ କରିବା ଓ ତାହାକୁ ଅନୁମୋଦନ ନିମନ୍ତେ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି।

Comments are closed.