ରାଜଧାନୀରେ ମାନ୍ୟତା ହରାଇପାରନ୍ତି ୬୦୫ ଘରୋଇ ସ୍କୁଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ପାଖାପାଖି ୬୦୫ ଘରୋଇ ସ୍କୁଲର ମାନ୍ୟତା ସରକାରଙ୍କ ପକ୍ଷରୁ ପ୍ରତ୍ୟାହାର କରିନିଆଯାଇପାରେ। ପରିବେଶ ସମ୍ବନ୍ଧୀୟ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇ ନ ଥିବାରୁ ସରକାର ଏଭଳି ପଦକ୍ଷେପ ନେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଦିଲ୍ଲୀ ସରକାରଙ୍କ ଅଧିକାରୀମାନଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସ୍କୁଲଗୁଡ଼ିକରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରିବା ଲାଗି ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି)ଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାର ସ୍କୁଲ କର୍ତ୍ତୃପକ୍ଷମାନେ ବିଫଳ ହୋଇଥିଲେ। ଏହି କାରଣରୁ ସ୍କୁଲଗୁଡ଼ିକ ଉପରେ ଜରିମାନା ଲାଗୁ କରାଯାଇଥିଲା, ଯାହାକୁ ସ୍କୁଲ କର୍ତ୍ତୃପକ୍ଷମାନେ ଦାଖଲ କରିନାହାନ୍ତି।

ସ୍କୁଲଗୁଡ଼ିକ ନିଜ କ୍ୟାମ୍ପସ ପରିସରରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ଲାଗି ୨୦୧୭ରେ ଏନଜିଟି ଦିଲ୍ଲୀ ସରକାର ସମେତ ସମସ୍ତ ଘରୋଇ ସ୍କୁଲ ଏବଂ କଲେଜଗୁଡ଼ିକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ୨ ମାସ ସମୟ ଦିଆଯାଇଥିଲା। ଏହା ସହ କୁହାଯାଇଥିଲା ଯେ, ଏସବୁ ଖର୍ଚ୍ଚ ସ୍କୁଲ ଏବଂ କଲେଜ କର୍ତ୍ତୃପକ୍ଷ ନିଜେ କରିବେ। ଯେଉଁ ଶିକ୍ଷାନୁଷ୍ଠାନ ଏହାକୁ ପାଳନ ନ କରିବେ ସେଗୁଡ଼ିକୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଏନଜିଟି କହିଥିଲେ।

ସୂଚନା ମୁତାବକ, ପାଖାପାଖି ୩୩୧ ଘରୋଇ ସ୍କୁଲ ଏନଜିଟିଙ୍କ ଆଦେଶକୁ ପାଳନ କରିବା ଦିଗରେ ଏଯାଏ କୌଣସି କାର୍ଯ୍ୟ ଆରମ୍ଭ କରିନାହାନ୍ତି। ୨୭୪ ଘରୋଇ ସ୍କୁଲରେ ବର୍ଷାଜଳ ସଂରକ୍ଷଣ ପ୍ଲାଣ୍ଟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହେବା ସ୍ଥିତିରେ ନାହିଁ। ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ସ୍କୁଲଗୁଡ଼ିକୁ ଅନେକ ଥର ଜରିମାନା ଦେବାକୁ କୁହାଯାଇଛି, କିନ୍ତୁ ଅଧିକାଂଶ ସ୍କୁଲ ଏହାକୁ ଅଣଦେଖା କରିଆସୁଛନ୍ତି। ଏବେ ଅଧିକାରୀଙ୍କ ପକ୍ଷରୁ ଅନ୍ତିମ ନୋଟିସ ପଠାଯାଇଛି। ୩ଦିନ ମଧ୍ୟରେ ସ୍କୁଲଗୁଡ଼ିକ ଟଙ୍କା ଦାଖଲ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ସ୍କୁଲଗୁଡ଼ିକର ମାନ୍ୟତା ରଦ୍ଦ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

Comments are closed.