MEllora 950×100

ବୌଦ୍ଧ ଜିଲ୍ଲାରେ ୬୦ ଜଣ ଏଡସ୍ ରୋଗୀ ଚିହ୍ନଟ,୧୩ ମୃତ

ବୌଦ୍ଧ : ଏଡସ୍ ଏକ ମାରାତ୍ମକ ବ୍ୟାଧି । ସାରା ବିଶ୍ୱରେ ଦିନକୁ ଦିନ ଏହି ରୋଗ କାୟା ବିିସ୍ତାର କରି ଚାଲିଛି। ଏଡସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏହି ଭୟାବହ ରୋଗରୁ ମୁକୁଳିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ କରାଯାଇଥିଲେ ମଧ୍ୟ ରୋଗରୁ ମୁକ୍ତି ପାଇଁ ସେଭଳି କୌଣସି ଉପାୟ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ତେଣୁ ବର୍ତ୍ତମାନ କେବଳ ସଚେତନତା ମଧ୍ୟମରେ ଏହି ରୋଗର ନିରାକରଣ ହୋଇପାରିବ। ସେଥିପାଇଁ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏଡସ୍ ରୋଗୀଙ୍କ ସଂଖ୍ୟା ଭାରତରେ ବୃଦ୍ଧି ପାଉଥିବା ବେଳେ ଓଡିଶାରେ ମଧ୍ୟ ସ୍ଥିତି ଉଦବେଗଜନକ ରହିଛି। ଏପରିକି ବୌଦ୍ଧ ଭଳି ଛୋଟ ଓ ଶିଳ୍ପବିହୀନ ଜିଲ୍ଲାରେ ମଧ୍ୟ ଏଡସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଜିଲ୍ଲାରେ ଇତିମଧ୍ୟରେ ୬୦ ଜଣ ଏଡସ୍ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସଂକ୍ରମିତ ଏଡସ୍ ରୋଗୀଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩୬ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୨୪ ବୋଲି ଜଣାପଡିଛି। ସେଥିମଧ୍ୟରୁ ୮ ଜଣ ଗର୍ଭବତୀ ମହିଳାଙ୍କଠାରେ ଏଡସ୍ ରୋଗ ଚିହ୍ନଟ ହୋଇଥିବା ଜଣାପଡିଛି। ଅଧିକାଂଶ ଏଡସ୍ ରୋଗୀଙ୍କ ବୟସ ସାଧରଣତଃ ୨୦ ରୁ ୪୫ ବର୍ଷ ବୋଲି ଜଣାପଡିଛି। ୧୩ ଜଣଙ୍କ ଏଡସ୍ ରୋଗରେ ମୃତ୍ୟୁ ପରେ ଜିଲ୍ଲାରେ ବାକି ଥିବା ୪୭ ଜଣ ରୋଗୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଛି । ଜିଲ୍ଲାରେ ୨୦୦୮ ଅଗଷ୍ଟ ମାସରେ ପ୍ରଥମ ଏଡସ୍ ରୋଗୀ ଚିହ୍ନଟ ହୋଇଥିଲାବେଳେ ସେହି ବର୍ଷ ସମୁଦାୟ ୨ ଜଣ ଏଡସ୍ ରୋଗୀ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ୨୦୦୯ରେ ୨ ଜଣ ଏଡସ୍ ରୋଗୀଙ୍କୁ ଚିହ୍ନଟ ହୋଇଥିବା ବେଳେ ୨୦୧୧ରେ ୨ଜଣ, ୨୦୧୩ରେ ୨ ଜଣ ଓ ୨୦୧୪ରେ ୫ ଜଣ ଏଡସ୍ ରୋଗୀ ଚିହ୍ନଟ କରାଯାଇଛି। ସେହିପରି ୨୦୧୫ ବର୍ଷରେ ୫ ଜଣ ଏଡସ୍ ରୋଗୀ ଚିହ୍ନଟ ହୋଇଥିଲେ । ୨୦୧୬ ବର୍ଷରେ ୫ ଜଣ ଓ ୨୦୧୭ ବର୍ଷରେ ୭ ଜଣ , ୨୦୧୮ ବର୍ଷରେ ୪ ଜଣ, ୨୦୧୯ରେ  ୭ଜଣ, ୨୦୨୦ରେ ୫ ଜଣ ଓ ୨୦୨୧ରେ ସର୍ବାଧିକ ୧୦ ଜଣ ଏଡସ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୨ରେ ଏପର୍ଯ୍ୟନ୍ତ ୪ ଜଣ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ଜିଲ୍ଲାରେ ଏଡସ୍ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଡ୍ରାଇଭର ଓ ବାହାର ଜିଲ୍ଲା କିମ୍ବା ବାହାର ରାଜ୍ୟକୁ ଯାଇଥିବା ଶ୍ରମିକ ବୋଲି ଜଣାପଡିଛି। ଏଡସ୍ ଆକ୍ରାନ୍ତମାନଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଉଅଛି । ଏଡସରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ପରିବାରକୁ ସରକାର ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରୁଥିବାବେଳେ ରୋଗୀଙ୍କୁ ମଧୁବାବୁ ପେନସନ, ବିଜୁ ପକ୍କା ଘର ଯୋଜନା, ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସହାୟତା, ରାସନ କାର୍ଡ,ମୋ କୁଡିଆ ଆଦି ଯୋଜନାରେ ସହାୟତା ପ୍ରଦାନ କରାଯାଉଛି । ଜିଲ୍ଲାରେ ୧୩ ଜଣଏଡସ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ୩୪ ଜଣ ରୋଗୀଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ରୋଗୀମାନେ ଯେପରି ସୁବିଧା ଓ ମାଗଣାରେ ବସରେ ଯାଇ ପାରିବେ ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଂଚଳିକ ପରିବହନ କାର୍ଯ୍ୟାଳୟ ସହିତ ଯୋଗେଯାଗ କରି ବସ୍ ପାଶ ଯୋଗାଇ ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ସେହିପରି ରୋଗୀଙ୍କୁ ବିଭିନ୍ନ ସରକାରୀ ସହାୟତା ଦିଆଯାଉଥିଲେ ମଧ୍ୟ ସେସବୁ ପଂଚାୟତ କାର୍ଯ୍ୟାଳୟରୁ ମିଳୁଥିବାରୁ ଅଧିକାଂଶ ରୋଗୀ ଲୋକ ନିନ୍ଦାକୁ ଡରି ସରକାରଙ୍କ ସୁବିଧା ନେବାକୁ ଯାଉନଥିବାରୁ ସେମାନେ କିପରି ଘରେ ବସି ସୁବିଧାରେ ଏହି ସବୁ ଯୋଜନାର ସୁବିଧା ପାଇପାରିବେ ସେଥିପାଇଁ ତୃଣମୂଳସ୍ତରରୁ ଉଦ୍ୟମ କରାଯାଉଛି। ଜିଲ୍ଲାରେ ଯେପରି ଛୋଟ ପିଲାଙ୍କୁ ଏଡସ୍ ଭଳି ଭୟାବହ ରୋଗରୁ ମୁକ୍ତ ରଖାଯିବ ସେଥିପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲା ସମନ୍ୱିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ରର ପରାମର୍ଶଦାତା ବନୋଜ ପ୍ରଧାନ, ଗୀତାଞ୍ଜଳି ସାହୁ, ପ୍ରମୋଦ ମହାରଣା ରୋଗୀମାନଙ୍କ ସମସ୍ତ ସମସ୍ୟା ପଚାରି ବୁଝୁଛନ୍ତି ଓ ସେମାନଙ୍କୁ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରୁଛନ୍ତି। ଏହି ଭୟାବହ ଏଡସ୍ ରୋଗର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିଲେ ମଧ୍ୟ ଜନସାଧାରଣଙ୍କ ସଚେତନତା ଅଭାବ ଯୋଗୁଁ ଜିଲ୍ଲାରେ ଏହି ରୋଗ ବଢିବାରେ ଲାଗିଛି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

Comments are closed.