ସାମିଙ୍କୁ ୬ ସପ୍ତାହ ବିଶ୍ରାମ ପରାମର୍ଶ; ଆଜି ସ୍ବଦେଶ ଫେରିବେ

ନୂଆଦିଲ୍ଲୀ : ଡାହାଣ ହାତ ଭାଙ୍ଗି ଯାଇଥିବା ଭାରତୀୟ ଫାଷ୍ଟବୋଲର ମହମ୍ମଦ ସାମିଙ୍କୁ ୬ ସପ୍ତାହ ବିଶ୍ରାମ ନେବାର ପରାମର୍ଶ ଦିଆଯାଇଛି। ବୁଧବାର ସାମି ଭାରତ ଫେରିଆସିବେ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ। ଆଡିଲେଡ୍ ଟେଷ୍ଟର ୨ୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ପ୍ୟାଟ୍ କମିନ୍ସଙ୍କ ବଲ୍ ସାମିଙ୍କ ଡାହାଣ ହାତରେ ବାଜିଥିଲା। ପରେ ସ୍କାନିଂରୁ ଜଣା ପଡ଼ିଥିଲା ଯେ ସାମିଙ୍କ ହାତ ଭାଙ୍ଗିଯାଇଛି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରୁ ସାମି ବାଦ୍ ପଡ଼ିଛନ୍ତି। ଭାରତରେ ପହଞ୍ଚିବା ପରେ ସାମି କିଛିଦିନ ସଂଗରୋଧରେ ରହିବେ।
ଜାନୁଆରୀ ଶେଷ ସୁଦ୍ଧା ସାମି ଫିଟ୍ ହୋଇଯିବେ ବୋଲି ବିସିସିଆଇ କହିଛି। ଫେବୃଆରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ରେ ସାମି ଖେଳିପାରିବେ ବୋଲି ବିସିସିଆଇ ଆଶାରଖିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରୁ ପେସ୍ ବୋଲର ଈଶାନ୍ତ ଶର୍ମା ବାଦ୍ ପଡ଼ିଥିବା ବେଳେ ସାମି ମଧ୍ୟ ବାଦ୍ପଡ଼ିବା ଦ୍ବାରା ଭାରତୀୟ ବୋଲିଂ ଆକ୍ରମଣ ଦୁର୍ବଳ ହୋଇଯାଇଛି। ୨୦୧୮ କ୍ୟାଲେଣ୍ଡର ବର୍ଷରେ ଈଶାନ୍ତ, ସାମି ଓ ଯଶପ୍ରୀତ ବୁମ୍ରା ମିଳିତ ଭାବେ ୧୩୬ଟି ୱିକେଟ ନେଇଥିଲେ। ଏହି ୧୩୬ ୱିକେଟରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରୁ ୪୫ଟି ୱିକେଟ ଆସିଥିଲା।