ତାଳଚେର ଥର୍ମାଲରେ ୬ ୟୁନିଟ ବନ୍ଦ, ୪୬୦ ମେଗାୱାଟ ବ୍ୟାହତ

ତାଳଚେର: ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ବିଦ୍ୟୁତ୍ କେନ୍ଦ୍ରର ସମସ୍ତ ୬ ୟୁନିଟରୁ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଗତକାଲି ବିଳମ୍ବିତ ରାତ୍ରିରୁ ବନ୍ଦ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ୧ନଂ ୟୁନିଟ ବନ୍ଦ କରିଦିଆଯାଇଥିଲାବେଳେ ପୂର୍ବରୁ ୬ନଂ ୟୁନିଟ ବନ୍ଦ ଥିଲା। ଏବେ ଅବଶିଷ୍ଟ ୪ଟି ୟୁନିଟ୍କୁ ଗତକାଲି ରାତି ପ୍ରାୟ ୧.୩୦ ବେଳେ ବନ୍ଦ କରିଦିଆଯାଇଥିଲା। ଏଠାରେ ଦୈନିକ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଆସୁଥିଲା। ଏଥିପାଇଁ ଦୈନିକ ୮ହଜାର ମେଟ୍ରିକ୍ ଟନ କୋଇଲା ଏମସିଏଲ ଜଗନ୍ନାଥ ଖଣିରୁ ଆସୁଥିଲା। ଗତ କିଛିଦିନ ହେଲା କୋଇଲା ଯୋଗାଣକୁ ଏନଟିପିସି କର୍ତ୍ତୃପକ୍ଷ ଧୀରେ ଧୀରେ କମାଇ ଦେବାରୁ ଦୁଇଦିନ ହେଲା କୋଇଲା ବଙ୍କରରେ ଆବଶ୍ୟକ ପରିମାଣର କୋଇଲା ନଥିଲା। ଏହିପରି ମନ୍ଦାପାଳସ୍ଥିତ ତାଳଚେର ଥର୍ମାଲ ଜଳଯୋଗାଣ କେନ୍ଦ୍ରରୁ ବ୍ରାହ୍ମଣୀ ନଦୀରୁ ଜଳଯୋଗାଣ ମଙ୍ଗଳବାର ମଧ୍ୟାହ୍ଣ ୧୨ଟାଠାରୁ ବନ୍ଦ କରିଦିଆଯାଇଛି।

ପ୍ଳାଣ୍ଟରେ ନିୟୋଜିତ ଠିକା ଶ୍ରମିକମାନେ କୋଇଲା ବଙ୍କରରେ କାମ କରିବାକୁ ଆସୁନଥିବାରୁ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ପ୍ରକଳ୍ପର ସମସ୍ତ ୟୁନିଟ ବନ୍ଦ ହୋଇଯାଇଛି ବୋଲି ଏନଟିପିସର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଏନଟିପିସିର ଶ୍ରମିକ ମାରଣ ନୀତି ଓ ଠିକା ଶ୍ରମିକମାନଙ୍କ ଉପରେ ଅଯଥା ଦୋଷ ଲଦିବା ଘଟଣା ତାଳଚେର ଥର୍ମାଲ ଶ୍ରମିକ ଏକତା ମଞ୍ଚ ନିନ୍ଦା କରିଛି। ତାଳଚେର ଥର୍ମାଲ ବିଦ୍ୟୁତ ପ୍ରକଳ୍ପ ବନ୍ଦ ହୋଇଗଲେ ୧୫୦୦ରୁ ଊର୍ଦ୍ଧ୍ବ ଠିକା ଶ୍ରମିକ ବେକାର ହେବା ସହ ୩୦ହଜାରରୁ ଊର୍ଦ୍ଧ୍ବ ଲୋକ ବେରୋଜଗାର ହୋଇଯିବେ।

Comments are closed.