ରାଜ୍ୟସଭାରୁ ୬ ତୃଣମୂଳ ସାଂସଦ ନିଲମ୍ବିତ

ପେଗାସସ୍‌, କୃଷି ଆଇନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଜାରି କଲେ ମିଳିତ ବିବୃତି

ନୂଆଦିଲ୍ଲୀ : ବିଶୃଙ୍ଖଳିତ ଆଚରଣ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୬ ସଦସ୍ୟଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି। ବୁଧବାର ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମୌସୁମି ଅଧିବେଶନର ଅବଶିଷ୍ଟ ଦିନଗୁଡିକ ଲାଗି ଟିଏମସି ସଦସ୍ୟଙ୍କୁ ନିଲମ୍ବନ କରିଛନ୍ତି। ଟିଏମସି ସଦସ୍ୟମାନେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଗୃହର ମଧ୍ୟ ଭାଗରେ ପେଗାସସ୍‌ ପ୍ରସଙ୍ଗରେ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ପେଗାସସ୍ ପ୍ରସଙ୍ଗକୁ ନେଇ ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ତେବେ ଆଜି ରାଜ୍ୟସଭା ଅଧ୍ୟକ୍ଷ ଏହି ବିକ୍ଷୋଭକୁ ନେଇ ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପେଗାସସ୍ ସ୍ପାଏୱେର ମାଧ୍ୟମରେ ସରକାର ଗୁଇନ୍ଦା କାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିବାବେଳେ ବିରୋଧୀ ଦଳଗୁଡିକ ଏହା ଉପରେ ଆଲୋଚନା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ଆଜିର ବିକ୍ଷୋଭ ସମୟରେ ବିରୋଧୀ ସଦସ୍ୟମାନେ ସରକାର ବିରୋଧୀ ନାରା ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଗୃହ ଅଧ୍ୟକ୍ଷ ଏହି ପ୍ଲାକାର୍ଡକୁ ନେଇ କ୍ଷୁବ୍ଧ ହୋଇଥିଲେ। ସେ ବିକ୍ଷୋଭକାରୀ ସଦସ୍ୟଙ୍କୁ ନିଜ ଆସନକୁ ଚାଲିଯିବାକୁ କହିଥିଲେ। ପରେ ନିୟମ ୨୫୫ ଲାଗୁ କରିବାକୁ ଧମକ ଦେଇଥିଲେ। ବିରୋଧୀ ସଦସ୍ୟମାନେ ଅଧ୍ୟକ୍ଷଙ୍କ ଏହି ଧମକକୁ ଖାତିର କରି ନଥିଲେ। ପରେ ସେ ନିର୍ଦେଶ ଦେଇଥିଲେ ଯେଉଁମାନେ ଅଧ୍ୟକ୍ଷଙ୍କୁ ଅବଜ୍ଞା କରୁଛନ୍ତି ଓ ପ୍ଲାକାର୍ଡ ପ୍ରଦର୍ଶନ କରୁଛନ୍ତି ସେମାନେ ନିୟମ ୨୫୫ ଅନୁଯାୟୀ ଗୃହ ଛାଡି ଚାଲିଯାଆନ୍ତୁ। ତେବେ ଅଧ୍ୟକ୍ଷ କୌଣସି ସଦସ୍ୟଙ୍କ ନାମ ନେଇ ନଥିଲେ। ସେ କହିଥିଲେ ଯେ କେଉଁ ସଦସ୍ୟମାନେ ଗୃହ ଛାଡିବେ ତାର ତାଲିକା ରାଜ୍ୟସଭା ସଚିବାଳୟ ଦେବ। ପରେ ସଚିବାଳୟ ପକ୍ଷରୁ ୬ ସଦସ୍ୟଙ୍କ ନାମ ପ୍ରକାଶ କରାଯାଇଥିଲା।
ଏହି ୬ ସଦସ୍ୟ ହେଲେ ତୃଣମୂଳ କଂଗ୍ରେସ ଦୋଳା ସେନ, ମହମ୍ମଦ ନଦିମୂଲ ହକ୍‌, ଅବିର ରଞ୍ଜନ ବିଶ୍ବାସ, ଶାନ୍ତା ଛେତ୍ରୀ, ଅର୍ପିତା ଘୋଷ ଓ ମୌସୁମ୍ ନୁର୍‌। ସଦସ୍ୟଙ୍କ ନିଲମ୍ବନ ଘୋଷଣା ପରେ ନାଇଡୁ ଗୃହକୁ ମୁଲତବୀ ରଖିଥିଲେ। ତେବେ ନିଲମ୍ବିତ ସଦସ୍ୟମାନେ ଗୃହ ଛାଡି ଯାଇ ନଥିଲେ। ଏହା ପୂର୍ବରୁ ଜୁଲାଇ ୨୩ରେ ଟିଏମ୍‌ସିର ଅନ୍ୟତମ ସଦସ୍ୟ ଶାନ୍ତନୁ ସେନଙ୍କୁ ରାଜ୍ୟସଭା ମୌସୁମି ଅଧିବେଶନରୁ ନିଲମ୍ବନ କରାଯାଇଥିଲା। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡାଇ ନେଇ ଚିରି ଫୋପାଡିବା କାରଣରୁ ଶାନ୍ତନୁଙ୍କୁ ନିଲମ୍ବନ କରାଯାଇଥିଲା।

ଅଚଳାବସ୍ଥା ମଧ୍ୟରେ ୩ ବିଧେୟକ ଗୃହୀତ​‌

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା ବିବାଦ, କୃଷି ଆଇନ ପ୍ରତ୍ୟାହାର, ଦରଦାମ୍ ବୃଦ୍ଧି ଆଦି ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବୁଧବାର ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ବିଶେଷ କରି ପେଗାସସ୍ ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ଆଲୋଚନା ଲାଗି ଅଡି ବସିଥିବାବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ସଂସଦର ଏପରି ଅଚଳାବସ୍ଥା ମଧ୍ୟରେ ସରକାର ବିନା ଆଲୋଚନାରେ ବିଧେୟକ ଗୃହୀତ କରାଇ ଚାଲିଛନ୍ତି। ଏହି କ୍ରମରେ ଗୁରୁବାର ଲୋକସଭାରେ ନଡିଆ ଉନ୍ନୟନ ବୋର୍ଡ (ସଂଶୋଧନ) ବିଧେୟକ ୨୦୨୧ ଗୃହୀତ ହୋଇଛି। ସେହିପରି ରାଜ୍ୟସଭାରେ ମଧ୍ୟ ଦୁଇଟି ବିଧେୟକ ଗୃହୀତ ହୋଇଛି। ବିମାନବନ୍ଦର ଆର୍ଥିକ ନିୟାମକ କର୍ତ୍ତୃପକ୍ଷ ଭାରତ (ସଂଶୋଧନ) ବିଧେୟକ ୨୦୨୧ ମାତ୍ର ୨୦ ମିନିଟ୍ ମଧ୍ୟରେ ଗୃହୀତ ହୋଇଥିଲା। ସେହିପରି ଲିମିଟେଡ ଲାଏବିଲିଟି ପାର୍ଟନରସିପ୍ (ସଂଶୋଧନ) ବିଧେୟକ ୨୫ ମିନିଟ୍ ମଧ୍ୟରେ ଗୃହରେ ଗୃହୀତ ହୋଇଥିଲା। ବିନା ଆଲୋଚନାରେ ସଂସଦରେ ବିଧେୟକ ଗୃହୀତ ହେବାକୁ ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।
ଅନ୍ୟପଟେ କୃଷି ଆଇନ ଓ ପେଗାସସ୍ ବିବାଦ ପ୍ରସଙ୍ଗ ସଂସଦରେ ଆଲୋଚନା କରିବାକୁ ବିରୋଧୀ ଦଳଗୁଡିକ ବୁଧବାର ମିଳିତ ବିବୃତି ଜାରି କରିଛନ୍ତି। ପେଗାସସ୍‌କୁ ଜାତୀୟ ସୁରକ୍ଷା ବୋଲି ଅଭିହିତ କରି ବିରୋଧୀ ଦଳଗୁଡିକ ଏହାକୁ ଉଭୟ ଗୃହରେ ଆଲୋଚନା କରିବାକୁ କହିଛନ୍ତି। ସେହିପରି କୃଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଚଳାଇଥିବାରୁ ଏହା ଉପରେ ଆଲୋଚନା ହେବା ଦରକାର। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳଗୁଡିକ ବୈଠକ କରିବାର ଦିନକ ପରେ ଏହି ବିବୃତି ଜାରି କରିଛନ୍ତି। ଏହି ମିଳିତ ବିବୃତିରେ ୧୩ ରାଜନୈତିକ ଦଳର ନେତାମାନେ ସ୍ବାକ୍ଷର କରିଛନ୍ତି। ମିଳିତ ବିବୃତିରେ ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି ଯେ ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସଂସଦରେ ବିରୋଧୀ ଦଳଗୁଡିକ ବିଶୃଙ୍ଖଳା କରୁଥିବା ସରକାର କହୁଛନ୍ତି। ତେବେ ସଂସଦର ଅଚଳାବସ୍ଥା ଦୂର କରିବାର ଦାୟିତ୍ବ ସରକାରଙ୍କର; ମାତ୍ର ସରକାର ଔଦ୍ଧତ୍ୟ ଓ ଜିଦ୍‌ଖୋର ମନୋଭାବ ପୂର୍ବକ ବିରୋଧୀଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି।

Comments are closed.