ବଜ୍ରପାତ ନେଲା ୬ ଜୀବନ , ୩ ଗୁରୁତର

ବୁଗୁଡା/ଫୁଲବାଣୀ/ଚକାପାଦ/ଚିକିଟି : ଗଞ୍ଜାମ ଓ କନ୍ଧମାଳରେ ବଜ୍ରପାତ ଘଟି ୬ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଗଞ୍ଜାମରେ ୩ଟି ସ୍ଥାନରେ ବଜ୍ରପାତରେ ୪ଜଣ ପ୍ରାଣ ହରାଇଥିବା ବେଳେ କନ୍ଧମାଳରେ ୨ଟି ସ୍ଥାନରେ ୨ଜଣଙ୍କ ମୃତ୍ୟୁ ହୋଇଛି ଓ ୩ଜଣ ଗୁରୁତର ଆହତ ହୋଇଛନ୍ତି ।
ଆଜି ଅପରାହ୍ନରେ ଚିକିଟି ବ୍ଲକ ଅନ୍ତର୍ଗତ ପାରସମ୍ବା ଶିବ ମନ୍ଦିର ନିକଟରେ ବଜ୍ରପାତରେ ଜଣେ ଯୁବତୀର ମୃତ୍ୟୁ ହୋଇଯାଇଛି। ଯୁବତୀ ଜଣକ ହେଉଛନ୍ତି ଚିକିଟି ଗଡ଼ କୁମ୍ଭାର ସାହିର ଭାସ୍କର ବେହେରାଙ୍କ ଝିଅ ନନ୍ଦିନୀ ବେହେରା(୧୮) । ସେ ଅଜାଘର ପାରସମ୍ବା ଯାଇଥିଲେ । ଗୁରୁତର ଅବସ୍ଥାରେ ଚିକିଟି ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତର ସେଠାରେ ନନ୍ଦିନୀଙ୍କୁ ମୃତ ଘୋଷଣା କରିଥିଲେ। ବୁଗୁଡ଼ା ଥାନା ତାକରଡ଼ା ପଞ୍ଚାୟତ ଅନ୍ତର୍ଗତ ବାଘୁଆ ଡ଼େଙ୍ଗାବାଡ଼ି କଲୋନୀରେ ବଜ୍ରପାତରେ ଜଣେ ସୁରତ ଫେରନ୍ତା ଯୁବକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ୩ ଜଣ ହେଲେ ଡ଼େଙ୍ଗାବାଡ଼ି କଲୋନୀର ସନ୍ତୋଷ ଗୌଡ଼ (୩୦), ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆ (୨୯) ଓ ବୁରୁଝୋଳା ଗାଁର ସୀମାଞ୍ଚଳ ପ୍ରଧାନ (୬୦) ଏବଂ ଗୁରୁତର ଜଣକ ହେଲେ ଡ଼େଙ୍ଗାବାଡ଼ି କଲୋନୀର ବଳରାମ ଗୌଡ଼ (୩୦)। ନୀଳାଞ୍ଚଳ କାମ ଦେଖିବାକୁ ଡ଼େଙ୍ଗାବାଡ଼ି ଯାଇଥିବାବେଳେ ବର୍ଷା ପବନ ଆସିବାରୁ ଡ଼େଙ୍ଗାବାଡ଼ି ଗାଁର ଏକ କିରାଣୀ ଦୋକାନ ବାରଣ୍ଡାରେ ଟିଣଛପର ତଳେ ଥିବା ଏକ ବେଞ୍ଚରେ ବସିଥିଲେ । ଗ୍ରାମର ସନ୍ତୋଷ ଓ ବଳରାମ ମଧ୍ୟ ସେହି କାଠ ବେଞ୍ଚରେ ବସିଥିବା ବେଳେ ଅପରାହ୍ନ ୨ଟାବେଳେ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଟିଣ କଣା ହୋଇଯିବା ସହ ଟିଣ ତଳେ ବସିଥିବା ତିନିହେଁ ସେଠାରେ ଟଳି ପଡ଼ିଥିଲେ। ୩ ଜଣଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡ଼ିକାଲକୁ ଅଣାଯାଇଥିଲା। ସେଠାରେ ନୀଳାଞ୍ଚଳ ଓ ସନ୍ତୋଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଗୁରୁତର ଆହତ ବଳରାମଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସନ୍ତୋଷ ସୁରତରୁ ଫେରି ପୋଲସରା ସଂଗରୋଧ କେନ୍ଦ୍ରରେ ରହିବା ପରେ ୭ ଦିନ ତଳେ ଗାଁକୁ ଫେରିଥିଲେ।
ସେହିପରି ନାଗିରି ଗାଁରେ ରହୁଥିବା ସୀମାଞ୍ଚଳ ପ୍ରଧାନ ଝିଅ ଘର ଗ୍ରାମ ବୁରୁଝୋଳାକୁ ଯାଇ ସାଇକଲରେ ଫେରୁଥିବାବେଳେ ବଜ୍ରପାତରେ ସାଇକଲରୁ ପଡ଼ିଯାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ପୁଲିସ ୩ଟି ଯାକ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩ଟି ଅପମୃତ୍ୟୁ ମାମଲା ରୁଜୁ କରିଛି।
ସେହିପରି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ମଗମୁଣ୍ଡା ଗ୍ରାମରେ ବଜ୍ରପାତ ହେବାରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ୍ରଆହତ ହୋଇଛନ୍ତି। ମଗମୁଣ୍ଡାର ଦାନା ସିଂ କହଁର ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ​‌େ​‌ସହି ଗ୍ରାମର ଅନ୍ୟ ଦୁଇ ଜଣ ଗୁନି କହଁର ଓ ଧନଞ୍ଜୟ କହଁରଙ୍କ ସହ କଥାବାର୍ତ୍ତା କରିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ତିନିଜଣ ଯାକ ଗୁରୁତର ହୋଇଥିଲେ। ଗ୍ରାମବାସୀ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଖବର କରିଥିଲେ। ଗ୍ରାମକୁ ରାସ୍ତା ନଥିବାରୁ ୩ ଘଣ୍ଟା ବିଳମ୍ବରେ ଗ୍ରାମ ନିକଟରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚିଥିଲା। ଗ୍ରାମବାସୀ ଆମ୍ବୁଲାନ୍ସ ନିକଟକୁ ତିନିଜଣଙ୍କୁ ବୋହି ନେଇଥିଲେ। ପ୍ରଥମେ ସେମାନଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫୁଲବାଣୀ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଦାନା ସିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ଚକାପାଦ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣପାଦ ପଞ୍ଚାୟତର ଅର୍ଚ୍ଚାଙ୍ଗି ଗ୍ରାମରେ ଦିନ ପ୍ରାୟ ୨ଟା ସମୟରେ ବଜ୍ରପାତରେ ସୁମନ୍ତ କୁମାର ବିଶୋୟୀ ନାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତର ଶୀକାର ହୋଇଥିଲେ। ଗ୍ରାମର ୧୦ଟି ଗାଈ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଖବର ପାଇ ଚକାପାଦ ଥାନା ଅଧିକାରୀ ଟି.ଟି.ବେହେରା ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

Comments are closed.