ରାଜଧାନୀ ଭୁବନେଶ୍ଵରରୁ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରୁ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ରାଜଧାନୀରୁ ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲର କର୍ମଚାରୀ ରହିଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ୫ ଜଣ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ୪ ଜଣ ଏମ୍ସ ହସ୍ପିଟାଲର ରହିଛନ୍ତି । ଭୁବନେଶ୍ୱର ଏମ୍ସ ହସ୍ପିଟାଲର ୩ ଜଣଙ୍କ କର୍ମଚାରୀଙ୍କ ସମେତ ଜଣେ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ୩ଜଣ କର୍ମଚାରୀଙ୍କ ବୟସ ଯଥାକ୍ରମେ ୩୭ ବର୍ଷ(ପୁରୁଷ), ୩୧ ବର୍ଷ(ମହିଳା) ଓ ୩୦ ବର୍ଷ(ପୁରୁଷ) ରହିଛି । ସେହିପରି ଛାତ୍ରୀ ଜଣକର ବୟସ ୨୪ ବର୍ଷ ରହିଛି। ସେହିପରି ଭୁବନେଶ୍ଵର ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୩୮ ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି ।

ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ପୋଖରିପୁଟ ଅଞ୍ଚଳର ହୋଇଥିବା ଜଣାପଡିଛି । ସେହିବ୍ୟକ୍ତି ଜଣଙ୍କ ନିକଟରେ କନ୍ଧମାଳରୁ ଫେରିଥିବା ଜଣାପଡିଛି । ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ଆକ୍ରାନ୍ତ ବ୍ୟକ୍ତିମାନେ କାହା ସଂସ୍ପର୍ଷରେ ଆସିଛନ୍ତି ତାହା ଚିହ୍ନଟ କରାଯାଉଛି ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ଵରରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୪ ଜଣ ସୁସ୍ଥ ହୋଇଘରକୁ ଫେରିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ରାଜଧାନୀ ଭୁବନେଶ୍ଵରର ୪୨ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.