୬ ଜୁଲାଇରୁ ଶ୍ରାବଣ ମାସ: ୬ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିପାରିବେ ଭକ୍ତ, କରୋନା ଯୋଗୁ ବାକି ମନ୍ଦିର ଖୋଲିବା ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ଜୁଲାଇ ୬ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେଉଛି। ଏହା ପ୍ରଭୁ ଶିବଙ୍କ ମାସ। ପ୍ରତ୍ୟେକ ବର୍ଷ ଏହି ମାସରେ ଦେଶର ୧୨ ଜ୍ୟୋତିର୍ଲିଙ୍ଗରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ଯୋଗୁ ୧୨ଟି ମଧ୍ୟରୁ ୬ଟି ଜ୍ୟୋତିର୍ଲିଙ୍ଗ ଭକ୍ତଙ୍କ ପାଇଁ ବନ୍ଦ ରହିପାରେ। କାରଣ ଏହା ଖୋଲା ଯିବ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନାହିଁ।

୬ ଜ୍ୟୋତିର୍ଲିଙ୍ଗ ଯଥା,- ସୋମନାଥ(ଗୁଜରାଟ), ମଲ୍ଲିକାର୍ଜୁନ(ହାଇଦ୍ରାବାଦ), ମହାକାଳେଶ୍ୱର(ଉଜ୍ଜୈନ), ଓଁକାରେଶ୍ୱର(ଖଣ୍ଡୱା), କାଶୀ ବିଶ୍ୱନାଥ(ବନାରସ), ନାଗେଶ୍ୱର ମନ୍ଦିର(ଗୁଜରାଟ)ରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି।

ରେଜିଷ୍ଟ୍ରେସନ ପରେ ହିଁ କରିପାରିବେ ଦର୍ଶନ:

ଦର୍ଶନ ପାଇଁ ଏହିସବୁ ଜ୍ୟୋତିର୍ଲିଙ୍ଗର ଅଫିସିଆଲ ୱେବସାଇଟ୍‍ରେ ଭକ୍ତମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ମହାକାଳେଶ୍ୱର ମନ୍ଦିରରେ ଦର୍ଶନ ପାଇଁ ମନ୍ଦିରର ଲାଇଭ୍‍ ଦର୍ଶନ ଆପ୍‍ରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ଦର୍ଶନ ପାଇଁ ଯେଉଁ ସମୟ ମିଳିବ, ସେହି ସମୟରେ ହିଁ ଭକ୍ତ ମନ୍ଦିରରେ ଦର୍ଶନ କରିପାରିବେ। ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍‍ ବୟସର ପିଲାଙ୍କୁ ମନ୍ଦିରେ ଦର୍ଶନ ପାଇଁ ପ୍ରବେଶ ଅନୁମତି ନାହିଁ।

ନିୟମ ପାଳନ ବାଧ୍ୟତାମୂଳକ:

ମନ୍ଦିର ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ସବୁ ଭକ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ। ମନ୍ଦିରରେ ଭକ୍ତ କେବଳ ଦର୍ଶନ କରିପାରିବେ, ସେଠାରେ ବସି ପୂଜାପାଠ କରିପାରିବେ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କୁ ମହାମାରୀ ସମ୍ବନ୍ଧିୟ କିଛି ଲକ୍ଷଣ ଥିବ, ତେବେ ତାଙ୍କୁ ଦର୍ଶନ ପାଇଁ ମନୁମତି ମିଳିବ ନାହିଁ।

ଅପର ପକ୍ଷରେ, ଏହି ସମୟରେ ମହାରାଷ୍ଟ୍ରରେ ତୀବ୍ର ଗତିରେ କରୋନା ସଂକ୍ରମଣ ହେଉଛି। ଏହାକୁ ଦୃଷ୍ଟିରେ ରଖି ଏଠାକାର ୪ ଜ୍ୟୋତିର୍ଲିଙ୍ଗ ଭୀମାଶଙ୍କର, ତ୍ରୟମ୍ବକେଶ୍ୱର, ବୈଦ୍ୟନାଥ ଓ ଘୃଷ୍ଣେଶ୍ୱର ମନ୍ଦିର ଶ୍ରାବଣ ମାସରେ ମଧ୍ୟ ଭକ୍ତଙ୍କ ପାଇଁ ବନ୍ଦ ରହିବ। ଏଠାକୁ କେବଳ ମନ୍ଦିର ପୂଜକ ଓ କମିଟି ସଦସ୍ୟଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ସେହିପରି ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଝାଡ଼ଖଣ୍ଡର ଦେଓଘର ସ୍ଥିତ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗରେ ଶ୍ରାବଣ ମାସରେ ଦର୍ଶନ ପାଇଁ ସାଂସଦ ନିଶିକାନ୍ତ ଦୁବେ ଝାଡ଼ଖଣ୍ଡ ହାଇକୋର୍ଟରେ ଜନହିତ ପିଟିସନ ଦାଖଲ କରିଛନ୍ତି। ୩୦ ଜୁନରେ ଏହାର ଶୁଣାଣି ହେବ। କୋଭିଡ଼୍‍ କଟକଣା ପାଳନ କରି ମନ୍ଦିରରେ ଦର୍ଶନ ଆରମ୍ଭ କରିବା ଆବଶ୍ୟକ ବୋଲି ପିଟିସନରେ ଉଲ୍ଲେଖ ରହିଛି।

ଉତ୍ତରାଖଣ୍ଡର କେଦାରନାଥ ତାମିଲନାଡ଼ୁର ରାମେଶ୍ୱରମ ମନ୍ଦିର ଖୋଲିବା ନେଇ ମଧ୍ୟ କୌଣସି ସମ୍ଭାବନା ଦେଖାଯାଉନାହିଁ। ବର୍ତ୍ତମାନ ସୁଦ୍ଧା ଏଠାରେ ଦର୍ଶନ ବନ୍ଦ ରହିଛି। କରୋନା ସଂକ୍ରମଣ ମଧ୍ୟ ଏଠାରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଶ୍ରାବଣ ମାସରେ ଏହା ଭକ୍ତଙ୍କ ପାଇଁ ଖୋଲିବ କି ନାହିଁ ସେ ନେଇ ଏଯାବତ୍‍ ନିଷ୍ପତ୍ତି ହୋଇପାରୁ ନାହିଁ।

Comments are closed.