ବିହାରର ଏକ ହୋଟେଲରୁ ୬ ଇଭିଏମ ଏବଂ ୨ ଭିଭିପାଟ ମେସିନ ଜବତ

ପାଟନା : ବିହାର ମୁଜାଫରପୁରର ଏକ ହୋଟଲ କକ୍ଷରୁ ୬ଟି ଇଲେକ୍ଟ୍ରୋନିଂ ଭୋଟିଂ ମେସିନ (ଇଭିଏମ) ଏବଂ ୨ଟି ଭିଭିପାଟ ମେସିନ ଜବତ କରାଯାଇଛି। ଯେଉଁ ଅଧିକାରୀଙ୍କ ନିକଟରୁ ଇଭିଏମ ଜବତ କରାଯାଇଛି ସେ ସେହି ଇଭିଏମର ସଂରକ୍ଷକ ଏବଂ ସେକ୍ଟର ମାଜେିଷ୍ଟ୍ରେଟ୍‍ ଥିଲେ। ଇଭିଏମ ଏବଂ ଭିଭିପାଟ ମେସିନ ଜବତ ହେବା ପରେ ସେଠାରେ ଲୋକମାନେ ହୋହଲ୍ଲା କରିଥିଲେ। ଘଟଣାସ୍ଥଳରେ ଏସଡିଓ ପହଞ୍ଚି ୬ଟି ଯାକଁ ଇଭିଏମକୁ ନିଜ ହେପାଜତକୁ ନେଇଛନ୍ତି।
ମୁଜାଫରପୁର ଜିଲାପାଳ ଅଲୋକ ରଂଜ ଘୋଷ କହିଛନ୍ତି ଯେ ସେକ୍ଟର ମାଜେିଷ୍ଟ୍ରେଟ୍‍ ଅବଧେଶ କୁମାର ସେହି ଇଭିଏମର ସଂରକ୍ଷକ ଥିଲେ। ସେ ବ୍ୟାକଅପ୍‍ ପାଇଁ ୬ଟି ଇଭିଏମ ମେସିନ ସାଙ୍ଗରେ ନେଇଥିଲେ। କୌଣସି କାରଣ ପାଇଁ ସେ ହେଟେଲରେ ବ୍ୟାକଅପ୍‍ ଭାବେ ଅଣାଯାଇଥିବା ଇଭିଏମ ଏବଂ ଭିଭିପାଟ ମେସିନ ରଖିଥିଲେ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ହୋଟେଲରେ ପହଞ୍ଚି ହଙ୍ଗାମା କରିଥିଲେ। ଏନେଇ ସେକ୍ଟର ମାଜିଷ୍ଟ୍ରେଟଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଛି।
ପ୍ରକାଶ ଯେ ମୁଜାଫରପୁର ଲୋକସଭା ଆସନରେ ଷଷ୍ଠ ପ୍ରର୍ଯ୍ୟାୟରେ ସୋମବାର ଭୋଟ ଗ୍ରହଣ ହୋଇଥିଲା। ଏଠାରେ ଏନ୍‍ଡିଏ ପ୍ରାର୍ଥୀ ଭାବେ ଅଜୟ ନିଷାଦ ଏବଂ ମହାମେଣ୍ଟର ପ୍ରାର୍ଥୀ ଭାବେ ରାଜ ଭୂଷଣ ଚୌଧୁରୀ ନିର୍ବାଚନ ଲଢୁଛନ୍ତି।

Comments are closed.