କର୍ଲାପାଟରେ ହାତୀ ମଡ଼କ, ଦୁଇ ସପ୍ତାହରେ ୬ ହାତୀ ମୃତ

ଭବାନୀପାଣା: କଳାହାଣ୍ଡି ଜିଲାର କର୍ଲାପାଟ ଅଭୟାରଣ୍ୟରେ ଆଜି ପୁଣି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ଦୁଇ ସପ୍ତାହରେ କଳାହାଣ୍ଡି ଜିଲାରେ ୬ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। କ୍ରମାଗତ ହାତୀ ମୃତ୍ୟୁ ଘଟଣା ଯୋଗୁ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ଟି. ଅଶୋକ କୁମାରଙ୍କ ଅନୁରୋଧ କ୍ରମେ ଭୁବନେଶ୍ୱରସ୍ଥିତ ଓୟୁଏଟିରୁ ୨ ଜଣ ବିଶେଷଜ୍ଞ ଡା. ନିରଞ୍ଜନ ସାହୁ ଓ ଡା. ଏସ୍‌.କେ. ପଣ୍ଡାଙ୍କ ସମେତ କଳାହାଣ୍ଡି ପଶୁ ବିଭାଗ ଓ ଜଙ୍ଗଲ ବିଭାଗ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ସେପ୍ଟିସେମିଆ ଯୋଗୁଁ ହାତୀ ମୃତ୍ୟୁ ଘଟୁଥିବା ବିଶେଷଜ୍ଞ ଡାକ୍ତର ପ୍ରାଥମିକ ତଦନ୍ତରୁ ଜାଣି ପାରିଛନ୍ତି। ସେପ୍ଟିସେମିଆରେ ହାତୀ ମୃତ୍ୟୁ ହେବା ବିରଳ ଘଟଣା ବୋଲି କୁହାଯାଏ। ତେବେ ହାତୀ ଅଭୟାଣ୍ୟ କର୍ଲାପାଟରେ ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ କ୍ରମାଗତ ଭାବେ ୬ଟି ମାଈ ହାତୀର ମୃତ୍ୟୁକୁ ନେଇ ବିସ୍ମୟ ପ୍ରକାଶ ପାଇଛି। ଏହାକୁ ତୁରନ୍ତ ମୁକାବିଲା ନକଲେ କର୍ଲାପାଟ ହାତୀଶୂନ୍ୟ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ସ୍ଥିତିର ମୁକାବିଲା ପାଇଁ ଅଭୟାଣ୍ୟ ଅଞ୍ଚଳରେ ଥିବା ଝରଣା, ନାଳ ଆଦିରେ ବ୍ଲିଚିଂ ପାଉଡର୍‌ ପକାଯାଇ ବିଶୋଧନ କରାଯାଇଛି।


ଫେବୃୟାରୀ ୧ ତାରିଖ ଦିନ କର୍ଲାପାଟ ଅଭୟାରଣ୍ୟରେ ତେନ୍ତୁଳି ପତର ନିକଟରେ ପ୍ରଥମ ମାଈ ହାତୀର ମୃତ୍ୟୁ ହୋଇଥିଲା। ସପ୍ତାହେ ପରେ ୮ ତାରିଖରେ କର୍ଲାପାଟ ଘୁଷୁରିଗୁଡ଼ି ନିକଟରେ ଦ୍ୱିତୀୟ ମାଈ ହାତୀର ମୃତ୍ୟୁ ଘଟିଥିଲା। ୧୦ ତାରିଖରେ ତୃତୀୟ ମାଈ ହାତୀର ମୃତଦେହ ସେହି ଘୁଘୁରିଗୁଡ଼ି ନିକଟରୁ ଉଦ୍ଧାର କରାଯାଇଥିଲା। ୧୧ ତାରିଖ ଦିନ ଚତୁର୍ଥ ହାତୀର ମୃତଦେହ ସେହି ଘୁସୁରିଗୁଡ଼ି ନିକଟରେ ପଡ଼ିଥିବା ବେଳେ ପୁଣି ଗତ ୧୨ ତାରିଖ ରାତିରେ ଆଉ ଏକ ମାଈ ହାତୀ ଏବଂ ଆଜି ୬ଷ୍ଠ ମାଈ ହାତୀର ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ମୃତ ୬ଟି ଯାକ ମାଈ ହାତୀ।

Comments are closed.