ପଞ୍ଚମ ପାଳି ସରକାରଙ୍କ ୧୦୦ଦିନ : ୫-ଟି ପ୍ରଣୟନ, ବିକାଶ ଉପରେ ଗୁରୁତ୍ବ

ଗାର୍ଡ ଅଫ୍ ଅନର ଉଚ୍ଛେଦ

0

ଭୁବନେଶ୍ୱର : ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ୧୦୦ଦିନ କାର୍ଯ୍ୟକାଳ ଇତିମଧ୍ୟରେ ଶେଷ ହୋଇଛି। ଏହି ଶହେ ଦିନ ଭିତରେ ରାଜ୍ୟ ପ୍ରଶାସନିକସ୍ତରରେ ଆମୂଳଚୂଳ ପରିବର୍ତ୍ତନ ହୋଇଛି। ରାଜ୍ୟର ପ୍ରଶାସନିକ ମୁଖ୍ୟ ତଥା ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପରିବର୍ତ୍ତେ ଅସିତ କୁମାର ତ୍ରିପାଠୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଉନ୍ନୟନ କମିଶନର ଭାବେ ସୁରେଶ କୁମାର ମହାପାତ୍ର ଓ କୃଷି ଉତ୍ପାଦନ କମିଶନର ଭାବେ ପ୍ରଦୀପ୍ତ କୁମାର ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହାବାଦ୍ ବହୁ ବିଭାଗ ମୁଖିଆଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି।
ରାଜ୍ୟରେ ପ୍ରଶାସନିକ ଅଦଳବଦଳ ବ୍ୟତୀତ ରାଜ୍ୟ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବାପାଇଁ ୫-ଟି ମନ୍ତ୍ରକୁ ଗୁରୁତ୍ବ ଦିଆଯାଇଛି। ସରକାରୀ ଯୋଜନାର ସୁଫଳ ପାଇଁ ସ୍ବଚ୍ଛତା, ଗୋଷ୍ଟୀଗତ କାର୍ଯ୍ୟ, ବୈଷୟିକ ଉପାୟ, ନିର୍ଦିଷ୍ଟ ସମୟସୀମା ଓ ରୂପାନ୍ତରୀଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପଞ୍ଚମ ପାଳିରେ ସବୁଠାରୁ ବଡ଼ ନିଷ୍ପତ୍ତି ନିଆଯାଇଛି ଦୀର୍ଘ ଦଶନ୍ଧି ଧରି ରାଜ୍ୟରେ ଚଳି ଆସୁଥିବା ଗାର୍ଡ ଅଫ୍ ଅର୍ନର ବ୍ୟବସ୍ଥାର ଉଚ୍ଛେଦ । ଚଳିତ ସ୍ବାଧୀନତା ଦିବସ ଅବସରରେ ବ୍ରିଟିଶ ଅମଳରୁ ଚଳିଆସୁଥିବା ଗାର୍ଡ ଅଫ୍ ଅର୍ନର ପ୍ରଥାକୁ ବନ୍ଦ କରି ସାରା ଦେଶରେ ଏକ ଦୃଷ୍ଟାନ୍ତ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ସଚିବାଳୟର ନାମ ପରିବର୍ତ୍ତନ କରି ଲୋକସେବା ଭବନ ରଖିଛନ୍ତି। ଆଗାମୀ ଦିନରେ ଲୋକେ କିଭଳି ଉତ୍ତମ ପ୍ରଶାସନିକ ସେବା ପାଇବେ ସେଥିପାଇଁ ସଚିବାଳୟ ନାମ ବଦଳାଇ ଲୋକସେବା ଭବନ ରଖି ନୂଆ ଆଶା ସଞ୍ଚାର କରିଛନ୍ତି। ପ୍ରଶାସନିକ ସଂସ୍କାର ପରେ ଏବେ ଲୋକଙ୍କ ପାଖରେ ଏହାର ସ୍ବାଦ କିଭଳି ପହଞ୍ଚିବ ତାକୁ ଦୃଷ୍ଟିରେ ରଖି ପ୍ରତିମାସ ୭ତାରିଖରେ ପ୍ରତି ବିଭାଗ ମନ୍ତ୍ରୀଙ୍କଠାରୁ କାର୍ଯ୍ୟାନ୍ବୟନ ରିପୋର୍ଟ ଲୋଡା ଯାଉଛି। ଏହାମାଧ୍ୟମରେ ସରକାର କିଭଳି ସେବା ଲୋକଙ୍କୁ ଯୋଗାଉଛନ୍ତି ତା’ର ସମୀକ୍ଷା ମଧ୍ୟ କରାଯାଉଛି। ଏତିକିରେ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଶେଷ ହୋଇନାହିଁ। ସରକାରୀ ଯୋଜନାକୁ ଗାଁ ମୁହାଁ ଓ ବାସ୍ତବମୁଖୀ କରିବା ଲକ୍ଷ୍ୟ ନେଇ ଆଗାମୀ ଅକ୍ଟୋବର ୨ତାରିଖରୁ ‘ମୋ-ସରକାର’ ଆରମ୍ଭ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ପୁଲିସ ବିଭାଗ,ସ୍ବାସ୍ଥ୍ୟ ଓ ଶିକ୍ଷାସେବାରେ ଲୋକଙ୍କୁ କିଭଳି ​‌େସବା ମିଳୁଛି ତାହା ଯାଞ୍ଚ କରିବେ। ଶ୍ରୀ ପଟ୍ଟନାୟକ ସରକାରୀ ସେବା କେତେ ମାତ୍ରାରେ ପାଉଛନ୍ତି ସେନେଇ ସିଧାସଳଖ ଲୋକଙ୍କ ସହିତ କଥା ହେବେ। ଯେଉଁଠାରେ ବ୍ୟତିକ୍ରମ ଦେଖାଦେବ ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଭିମୁଖ୍ୟ ରହିଛି। ଏହାକୁ ନେଇ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଛନକା ପଶିଛି। ଏହାଦ୍ବାରା ରାଜ୍ୟର ବିକାଶର ଚିତ୍ରକୁ ପରିବର୍ତ୍ତନ କରିବାକୁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା କେତେଦୂର କାର୍ଯ୍ୟାନ୍ବୟନ ହେବ ସେନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।
ସେହିପରି ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତର ସଦସ୍ୟ ଭାବେ ମନୋନୀତ ହେବା ପରେ ତାଙ୍କ ସ୍ଥାନରେ ଏବେ ବିଜୟ କୁମାର ଶର୍ମାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ପୁଲିସ ପ୍ରଶାସନକୁ ଲୋକଙ୍କ ନିକଟତର ଏବଂ ଲୋକଙ୍କ ଆସ୍ଥାଭାଜନ କରିବା ପାଇଁ ଆଇପିଏସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ​‌େ​‌ଦ୍ବୖତନଗରୀ ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗ ଡ଼ିଜି ଭାବେ ଦାୟିତ୍ବ ଦିଆଯାଇଥିବା ବେଳେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନୂତନ ପୁଲିସ କମିଶନର ଭାବେ ଦାୟିତ୍ବ ଦିଆଯାଇଛି। ଏହାବାଦ୍ ଓଏଏସସ୍ତରରେ ମଧ୍ୟ ବ୍ୟାପକ ଅଦଳ ବଦଳ କରାଯାଇଛି। ନିର୍ବାଚନ ପରେ ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ୪୦ଜଣଙ୍କୁ ବିଭିନ୍ନ ନିଗମ ଓ ପଦରେ ଥଇଥାନ କରାଯାଇଛି।

Leave A Reply