ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲେ ସରକାର ; ୪ ଅଞ୍ଚଳକୁ ପ୍ରବେଶ-ପ୍ରସ୍ଥାନ ନିଷିଦ୍ଧ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚମ କରୋନା ସଂକ୍ରମିତଙ୍କ ପରିଚୟକୁ ଶୁକ୍ରବାର ସରକାର ସାର୍ବଜନୀନ କରିଛନ୍ତି । ଏନେଇ  ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ ପଞ୍ଚମ ସଂକ୍ରମିତ ନାମ ପ୍ରଦୀପ୍ତ କୁମାର ଦଳବେହେରା । ତାଙ୍କ ଘର ୟୁନିଟ-୭ ସ୍ଥିତ ସୂର୍ଯ୍ୟନଗରର ପ୍ଲଟ ନମ୍ବର-୩୭ରେ। ଏହା ଭୁବନେଶ୍ବର ମହାନଗରର ୱାର୍ଡ ନଂ-୪୬ ଅନ୍ତର୍ଗତ। ତେବେ ସଂକ୍ରମିତ ପ୍ରଦୀପ୍ତ କୌଣସି ବିଦେଶ ରାଷ୍ଟ୍ର କିମ୍ବା ଅନ୍ୟ ରାଜ୍ୟକୁ ଗସ୍ତ କରି ଓଡ଼ିଶା ଫେରିଥିବାର ସୂଚନା ନାହିଁ। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ତାଙ୍କ ପରିବାର ଲୋକଙ୍କ ସହିତ ସ୍ବାସ୍ଥ୍ୟ ବିଭାଗ ଯୋଗାଯୋଗରେ ରହିଛି।

ସୂର୍ଯ୍ୟନଗର ଅଞ୍ଚଳବାସିନ୍ଦାଙ୍କ ହିତ ଦୃ​‌ଷ୍ଟିରୁ ବର୍ତ୍ତମାନ ଏହାକୁ ସିଲ୍ କରାଯିବ। ସୂର୍ଯ୍ୟନଗର ସଂଲଗ୍ନ ଗୋପବନ୍ଧୁନଗରଠାରୁ ଏଲ୍‌ଆଇସି କଲୋନୀ ଏବଂ ଗଙ୍ଗନଗରଠାରୁ ଶିରିପୁର ଅଞ୍ଚଳକୁ ମଧ୍ୟ ସିଲ୍ କରାଯିବ। ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବ ବୋଲି କମିସନର ଶ୍ରୀ ଚୌଧୁରୀ କହିଛନ୍ତି। ତେବେ ଏହି ସମୟରେ ଜନସାଧାରଣଙ୍କ କୌଣସି ଅସୁବିଧା ହେବନାହିଁ। ସେମାନଙ୍କ ଦୈନନ୍ଦିନ ମୌଳିକ ଆବଶ୍ୟକତା ପୂରଣ କରିବା ଦିଗରେ ବିଏମସି ପଦକ୍ଷେପ ନେବ। ସେଠାରେ ଭ୍ୟାନ୍‌ ମୁତୟନ ରହିବ। ଆବଶ୍ୟକ ପଡ଼ିଲେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଯେଉଁମାନେ କୌଣସି ଜରୁରୀ ପରିସ୍ଥିତିରେ ବାହାରକୁ ଯିବାକୁ ଆବଶ୍ୟକ ପଡ଼ିବ ସେ କ୍ଷେତ୍ରରେ ବିଏମସି ଓ ସରକାରଙ୍କ ସହିତ ଯୋଗାଯୋଗ କଲେ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜ ଆଡୁ ୧୦୪ ନମ୍ବରକୁ ଫୋନ୍‌ କରି ପଞ୍ଜୀକରଣ କରାଇବା ନିହାତି ଆବଶ୍ୟକ। ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ରୋଗର ଲକ୍ଷଣ ଥିବା ଅନୁଭବ କରିବେ ସେ ତୁରନ୍ତ ସରକାରଙ୍କୁ ଯୋଗାଯୋଗ କରନ୍ତୁ। ଯଦି କେହି ବ୍ୟକ୍ତି କୋଭିଡ୍‌-୧୯ ରେଗୁଲେସନ ଆକ୍ଟ-୨୦୨୦ର ଖିଲାପ କରି ରୋଗକୁ ଲୁଚାଇବାକୁ ଉଦ୍ୟମ କରନ୍ତି, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।
ସେ କହିଛନ୍ତି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଜନସାଧାରଣ ସମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ। ଯଦି କୌଣସି ବ୍ୟକ୍ତି ମୌଳିକ ଅସୁବିଧାର ଅନୁଭବ କରନ୍ତି ତେବେ ସେଥିପାଇଁ ବିଏମସି ପ୍ରଶାସନ ସଜାଗ ରହିଛି। ପ୍ରଦୀପଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ସୁଦ୍ଧା କେତେ ସଂଖ୍ୟା ଜଣାପଡିବ ବୋଲି ଶ୍ରୀ ଚୌଧାରୀ କହିଛନ୍ତି।

Comments are closed.