ପୁରୀ ଷ୍ଟାଡିୟମ୍ ପ୍ରକଳ୍ପ କାର୍ଯ୍ୟ ତଦାରଖ କଲେ ୫-ଟି ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ପୁରୀ ଷ୍ଟାଡିୟମ୍ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟର ତଦାରଖ କରିଛନ୍ତି। ସେ ପ୍ରକଳ୍ପର ଅଗ୍ରଗତି ବିଷୟରେ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ ଏବଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସୁବିଧା ସହିତ ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ପୁରୀ ଜିଲ୍ଲାରେ କ୍ରୀଡ଼ାର ବିକାଶ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ପୁରୀ ସହରରେ ଆଖଡା ସଂସ୍କୃତି ରହିଛି ଏବଂ ଭାରୋତ୍ତୋଳନ, ଯୋଗ, ଜିମ୍ନାଷ୍ଟିକ୍, ବକ୍ସିଂ ଇତ୍ୟାଦି କ୍ରୀଡ଼ାର ବିକାଶ ପାଇଁ ବହୁ ପରିସର ଅଛି। ନୂତନ କ୍ରୀଡ଼ା କମ୍ପ୍ଲେକ୍ସରେ ଆବାସିକ କ୍ରିକେଟ୍ ଏକାଡେମୀ ଏବଂ ରେସଲିଂ ଏକାଡେମୀ ପ୍ରତିଷ୍ଠା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଅବଢ଼ା ଯୋଜନାର ଅଂଶବିଶେଷ ଏହି ପ୍ରକଳ୍ପରେ ପୁରୀକୁ ଏକ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ନିମନ୍ତେ ୪୦ କୋଟି ଟଙ୍କା ବ୍ୟୟରେ ନୂତନ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ଏହି କମ୍ପ୍ଲେକ୍ସରେ ଅନ୍ୟାନ୍ୟ ସୁବିଧା ସହିତ କ୍ରିକେଟ୍ ଷ୍ଟାଡିୟମ୍ ରହିବ ଯାହାକି ରଣଜୀ ଟ୍ରଫି ସହିତ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବାରେ ସକ୍ଷମ ହେବ। ଏହି କମ୍ପ୍ଲେକ୍ସରେ 50 ମିଟର ସୁଇମିଂ ପୁଲ୍, ମଲ୍ଟି ପର୍ପୋଜ୍ ଇନଡୋର ହଲ୍ (ବକ୍ସିଂ, ରେସଲିଂ, ଟେବୁଲ୍ ଟେନିସ୍ ଏବଂ ଜିମ୍ନାସିୟମ୍ ପାଇଁ ସୁବିଧା) ଏବଂ ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡା ହଷ୍ଟେଲ ମଧ୍ୟ ରହିବ।

Comments are closed.