୫-ଟି ପ୍ରଭାବ: ୪ମାସରେ ଜାରି ହେଲା ୮ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ଓ ୨୬.୬୦ ଲକ୍ଷ ପ୍ରଦୂଷଣ ସାର୍ଟିଫିକେଟ୍‌

ଭୁବନେଶ୍ବର: ୫-ଟିର ଅନୁପାଳନ ଲକ୍ଷ୍ୟରେ ଲାଇସେନ୍ସ ଓ ଗାଡ଼ି କାଗଜପତ୍ର କରାଇବା ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ପରିବହନ ବିଭାଗ ଦେଖାଇଥିବା ତତ୍ପରତା ଅନେକାଂଶରେ ଫଳପ୍ରଦ ହୋଇଛି। ଗତ ଚାରିମାସ ମଧ୍ୟରେ ରେକର୍ଡ ସଂଖ୍ୟକ ଲର୍ଣ୍ଣର ଲାଇସେନ୍ସ ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଜାରି କରାଯାଇପାରିଛି। ସେପ୍ଟେମ୍ବରରୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରାୟ ଆଠ ଲକ୍ଷ ଲର୍ଣ୍ଣର ଜାରି କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୨୬ ଲକ୍ଷ ୬୦ ଜଣ ଗାଡ଼ିକୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଜାରି କରାଯାଇଛି।
୨୦୧୮ ମସିହାରେ ରାଜ୍ୟରେ ଥିବା ସମସ୍ତ ଆରଟିଓରୁ ସମୁଦାୟ ୩.୪୮ ଲର୍ଣ୍ଣର ଲାଇସେନ୍ସ ଜାରି କରାଯାଇ ଥିଲା। ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମର ମାସ ପର୍ଯ୍ୟନ୍ତ ଜାରି ହୋଇଥିବା ଲର୍ଣ୍ଣର ଲାଇସେନ୍ସ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ଥିଲା। ତେବେ ସେପ୍ଟେମ୍ବର ମାସରୁ ସଂଶୋଧିତ ମୋଟରଯାନ ଆଇନ୍ ଅନୁସାରେ ମୋଟା ଅଙ୍କର ଜୋରିମାନା ଲାଗୁ ହେବା ପରେ ହଠାତ୍ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗହଳି ଆରମ୍ଭ ହୋଇଥିଲା। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ମଧ୍ୟ ପ୍ରକ୍ରିୟା ତ୍ବରାନ୍ବିତ କରିଥିଲା। ଫଳସ୍ବରୂପ ଚାରିମାସ ମଧ୍ୟରେ ସମୁଦାୟ ୭ ଲକ୍ଷ ୯୦ ହଜାର ଲର୍ଣ୍ଣର ଲାଇସେନ୍ସ ଜାରି କରାଯାଇଛି। ଅର୍ଥାତ୍ ବର୍ଷକରେ ଯେତେ ଲର୍ଣ୍ଣର ଲାଇସେନ୍ସ ଜାରି କରାଯାଉ ଥିଲା ଚାରିମାସ ମଧ୍ୟରେ ଏହି ହାର ଦୁଇଗୁଣା ବଢ଼ିଛି। ଏଥିମଧ୍ୟରୁ ଗତ ଚାରିମାସରେ ଭୁବନେଶ୍ବର ଆରଟିଓ-୧ ସର୍ବାଧିକ ୫୪,୫୦୩ଟି ଲର୍ଣ୍ଣର ଲାଇସେନ୍ସ ଜାରି କରିଥିବା ବେଳେ ଏହା ପଛକୁ ଗଞ୍ଜାମ ଆରଟିଓ ୪୩,୫୨୫ଟି, କଟକ ଆରଟିଓ ୩୯,୪୬୭, ଭୁବନେଶ୍ବର ଆରଟିଓ-୨ ୩୫,୬୨୧, ଭଦ୍ରକ ୩୪,୨୩୮ ଲର୍ଣ୍ଣର ଲାଇସେନ୍ସ ଜାରି ହୋଇଛି। ଏବେ ଲର୍ଣ୍ଣର ଲାଇସେନ୍ସ ପାଇଁ ୪.୪ ଲକ୍ଷ ଆବେଦନକାରୀ ସ୍ଲଟ୍ ବୁକ୍ କରିଛନ୍ତି। ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟରେ ୧,୮୬,୦୮୪ଟି ଡ୍ରାଇଭିଂ ଲାଇସେନ୍ସ ଜାରି କରାଯାଇଛି।

ଅପରପକ୍ଷେ ଗତ ବର୍ଷ ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ରାଜ୍ୟରେ ମାତ୍ର ୨୪୦ଟି ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ରହିଥିଲା। ନୂଆ ନିୟମ ଆସିବା ପରେ ଆବଶ୍ୟକତାକୁ ଦେଖି ପରିବହନ ବିଭାଗ ୧୧୯୬ଟି ନୂଆ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଖୋଲିଛି। ବର୍ତ୍ତମାନ ୧୪୦୮ଟି ପ୍ରଦୂଷଣ ନିୟନ୍ତ୍ରଣ ଯାଞ୍ଚ କେନ୍ଦ୍ରରେ ବାହାନ ସଫ୍ଟୱେର ଜରିଆରେ ଅନ୍‌ଲାଇନ୍ ପ୍ରମାଣପତ୍ର ଜାରି କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ପ୍ରମାଣପତ୍ର ଜାରି କରାଯାଉଥିଲା। କିନ୍ତୁ ଆଜି ଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଦୂଷଣ ପ୍ରମାଣପତ୍ର ଜାରି କରିବା ବାଧ୍ୟତାମୂଳକ କରାଯାଇଛି। ଯେଉଁ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ପରିବହନ ଆପ୍ଲିକେସନ୍ ସହ ସଂଯୋଗ ନଥିବ, ସେଠାରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନକରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି, ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି କ୍ରମାଗତ ଭାବେ ବ୍ୟବସ୍ଥାରେ ସୁଧାର ଅଣାଯାଇଥିଲା। ଛୁଟିଦିନରେ ଆରଟିଓ କର୍ମଚାରୀ କାମ କରିବା ସହ ଅଧିକ କମ୍ପ୍ୟୁଟର ଯୋଗାଣ ଏବଂ ଅସ୍ଥାୟୀ ଶିବିର ମାଧ୍ୟମରେ ଲର୍ଣ୍ଣର ଲାଇସେନ୍ସ ଜାରି ପ୍ରକ୍ରିୟା ତ୍ବାରାନ୍ବିତ ହୋଇଥିଲା। ସେହିପରି ଜାନୁଆରୀ ୧ ତାରିଖରୁ ଅନ୍‌ଲାଇନରେ ଲର୍ଣ୍ଣର ଲାଇସେନ୍ସ ପରୀକ୍ଷା ସରିବା ପରେ ସଫଳ ଆବେଦନକାରୀଙ୍କୁ ତୁରନ୍ତ ଲାଇସେନ୍ସ ଜାରି କରିବା ଆରମ୍ଭ ହୋଇଛି।

Comments are closed.