ଭାରତରେ ୧୦୦ ଦିନରେ ଆରମ୍ଭ ହେବ ୫ଜି!

ନୂଆଦିଲ୍ଲୀ . – ଭାରତରେ ୧୦୦ ଦିନ ମଧ୍ୟରେ ୫ଜି ମୋବାଇଲ୍‌ ସେବାର ପରୀକ୍ଷଣ ଆରମ୍ଭ ହେବ । ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ୫ଜି ସହ ଅନ୍ୟ ବ୍ରାଣ୍ଡ ପାଇଁ ସ୍ପେକ୍ଟ୍ରମ ନିଲାମ କରାଯିବ ବୋଲି ସେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।

ବିଏସ୍‌ଏନ୍‌ଏଲ କ୍ଷତିରେ ଚାଲିବା ସହ ଏଥିରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ବିଷୟରେ ସେ ମତ ଦେଇଛନ୍ତି । ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍ଏଲ୍‌ର ପୁନରଉଦ୍ଧାର କାର୍ଯ୍ୟ କରାଯିବ । ଏହାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ଏହି ଦୁଇ କମ୍ପାନୀର କର୍ମଚାରୀମାନେ ପ୍ରତିଦ୍ୱନ୍ଦିତା ମନବୃତ୍ତି ନେଇ କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଚୀନ୍‌ର ଟେଲିକମ କମ୍ପାନୀ ହୁଆଇକୁ ୫ଜି ପରୀକ୍ଷଣ ପାଇଁ ଅନୁମତି ଦିଆଯିବ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ଏହି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ଚଳିତ ବର୍ଷ ବିଭିନ୍ନ ସ୍ପେକ୍ଟ୍ରମ ନିଲାମ କରାଯିବ ।

ଏବେ ପର୍ଯ୍ୟାପ୍ତ ସ୍ପେକ୍ଟ୍ରମ ଉପଲବ୍ଧ ଅଛି । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ୮,୬୪୪ ମେଗାହର୍ଜ ଦୂରସଂଚାର ସ୍ପେକ୍ଟ୍ରମ ନିଲାମ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ୫ଜି ପାଇଁ ସ୍ପେକ୍ଟ୍ରମ ବି ରହିଛି । ଏହାର ମୋଟ ମୂଲ୍ୟ ୪.୯ ଲକ୍ଷ କୋଟି ଟଙ୍କା । ଏହା ଅଧିକ ମୂଲ୍ୟ ହେଉଥିବା କେତକ ଟେଲିକମ୍‌ କମ୍ପାନୀ କହିଛନ୍ତି ।

Comments are closed.