ଅନ୍ଧବିଶ୍ୱାସର କୁପରଣତି: ୫୮ବର୍ଷୀୟ ବୃଦ୍ଧାକୁ ନିର୍ମମ ହତ୍ୟା ପରେ ପୋଡିଦେଲେ

- ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ଗୁଣପୁର/ପଦ୍ମପୁର: ଦିନକୁ ଦିନ ବିଜ୍ଞାନ ଓ ଜ୍ଞାନକୌଶଳର ଯେତିକି ବିକାଶ ଘଟୁଛି ମଣିଷ ସେତିକି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛି। ଏଭଳି ଅନ୍ଧବିଶ୍ୱାସର କୁପରିଣତି ସ୍ୱରୂପ ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ପ୍ରାଣ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଜଣେ ୫୮ବର୍ଷର ବୃଦ୍ଧାକୁ ଗୁଣିଗାରେଡି ସନ୍ଦେହରେ ଡାକିନେଇ ନିସ୍ତୁକ ମାଡ ମାରିବା ସହ ଅତି ନିର୍ମମ ଭାବେ ହତ୍ୟା କରି ପୋଡି ଦେଇଛନ୍ତି। ଏହା ଛଡା ମୃତ ବ୍ୟକ୍ତିଙ୍କ ପରିବାରକୁ ଏକ ପରିତ୍ୟକ୍ତ ଘରେ ନଜରବନ୍ଦୀ ଭାବେ ରଖାଯାଇଥିବା ସୂଚନା ମିଳିଛି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ପଦ୍ମପୁର ବ୍ଲକର ପାଜିଲିବନ୍ଧ ଗ୍ରାମରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।

ଗତକାଲି ନୂଆଗଡ ପଞ୍ଚାୟତ ପାଜିଲିବନ୍ଧ ଗ୍ରାମ ନୂଆସାହିର ରାମ ମୂଲି(୫୮) ଘରେ ଶୋଇଥିବା ଅବସ୍ଥାରେ ଗାଁର କିଛି ଲୋକ ସଂଘବଦ୍ଧ ହୋଇ ଆସି ତାଙ୍କୁ ଡାକି ନେଇଥିଲେ। ସେହି ସମୟରେ ରାମଙ୍କ ସ୍ତ୍ରୀ ମାୟା ମୂଲି ଓ ତାଙ୍କ ଝିଅ ଚନ୍ଦ୍ରାବତୀ ମୂଲିଙ୍କ ଉପସ୍ଥିତରେ ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ଠେଙ୍ଗାରେ ନିସ୍ତୁକ ମାଡ ମାରିବ ସହ ଗାଁ ନିକଟସ୍ଥ ତୋଟାକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

ମୃତ ରାମର ସ୍ତ୍ରୀ ଓ ଝିଅକୁ ଗାଁର ଏକ ପରିତ୍ୟକ୍ତ ଘରେ ନଜରବନ୍ଦୀ ରଖି ଏଭଳି ନିର୍ମମ ହତ୍ୟା କରାଯାଇଥିବା ଜଣାପଡିଛି। ସଙ୍ଗବଦ୍ଧ ଆକ୍ରମଣରେ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦ୍ୟେଶରେ ତାଙ୍କୁ ଗାଁ ନିକଟସ୍ଥ ନାଳରେ ପୋଡି ଦେଇଥିଲେ। ମୃତ ରାମଙ୍କ ସ୍ତ୍ରୀ ମାୟା ମୂଲି ଏନେଇ ଘଟଣାପରେ ପଦ୍ମପୁର ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

ଏହି ମାମଲା ପରେ ଗୁଣପୁର ପୁଲିସ ଏସଡିପିଓ ରାଜକିଶୋର ଦାଶଙ୍କ ନେତୃତ୍ୱରେ ଏକ ଟିମ ସମେତ ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ଶବଦାହ ନିକଟରେ ହାଡ, ପାଉଁଶ ଜବତ କରାଯାଇଛି। ଏହି ହତ୍ୟା ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଲୋକ ସଂପୁକ୍ତି ଥିବା ପୁଲିସ ପ୍ରାଥମିକ ତଦନ୍ତବେଳେ ଜାଣିବାକୁ ପାଇଛି।

ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ପଦ୍ମପୁର ଆଇଆଇସି ସଞ୍ଜୟ କୁମାର ନାୟକ ଓ ମାଜିଷ୍ଟ୍ରେଟ ଭାବେ ପଦ୍ମପୁର ତହସିଲଦାର ନୀଳମାଧବ ମାଝି ଉପସ୍ଥିତ ଥିଲେ। ଏହି ଘଟଣାପରେ ଗିରଫ ଭୟରେ ଗାଁଟି ପୁରୁଷଶୂନ୍ୟ ହୋଇଯାଇଛି।

Comments are closed.