ଭର୍ଚ୍ୟୁଆଲ ଦୁନିଆରେ ବି ମହିଳାଙ୍କୁ ନିସ୍ତାର ନାହିଁ; ଅନଲାଇନରେ ମିଳୁଛି ନିର୍ଯାତନା

କରୋନା କାଳରେ ବଦଳିଛି ଦୁନିଆ । ଭର୍ଚ୍ୟୁଆଲ ଶବ୍ଦ ଲୋକଙ୍କର ନିକଟତର ଓ ଆପଣାର ହୋଇଛି । ଅଧିକାଂଶ କାର୍ଯ୍ୟ ଅନଲାଇନରେ କରାଯାଉଛି । ଅଫିସ କାମ ଲୋକମାନେ ଘରୁ (ୱାର୍କ ଫ୍ରମ୍ ହୋମ) କରୁଛନ୍ତି । ହେଲେ ଏହି ଭର୍ଚ୍ୟୁଆଲ ଦୁନିଆଁରେ ମହିଳାଙ୍କୁ ନିସ୍ତାର ନାହିଁ । ବ୍ରିଟେନର ସଙ୍ଗଠନ ‘ପ୍ଲାନ ଇଣ୍ଟରନେସନାଲ’ ପକ୍ଷରୁ କରାଯାଇଥିବା ‘ଷ୍ଟେଟ ଅଫ୍ ୱାର୍ଲଡ଼ ଗାର୍ଲ ରିପୋର୍ଟ’ (ବିଶ୍ଵରେ ବାଳିକାଙ୍କ ସ୍ଥିତି) ରିପୋର୍ଟରେ ୫୮% ଯୁବତୀ ଅନଲାଇନ ନିର୍ଯାତନାର ସମ୍ମୁଖୀନ ହେଉଥିବା ପ୍ରକାଶ ପାଇଛି । ସାରା ବିଶ୍ୱରେ ୧୧ ଅକ୍ଟୋବରରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପୂର୍ବରୁ ଏହି ସର୍ଭେ କରାଯାଇଛି।

ଭାରତ, ବ୍ରାଜିଲ, ନାଇଜେରିଆ, ସ୍ପେନ୍, ଅଷ୍ଟ୍ରେଲିଆ, ଜାପାନ, ଥାଇଲ୍ୟାଣ୍ଡ ଏବଂ ଆମେରିକା ସମେତ ୨୨ ଟି ଦେଶରୁ ୧୫ରୁ ୨୫  ବର୍ଷ ବୟସର ୧୪ ହଜାର କିଶୋରୀ ଓ ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିରେ ଭାଗ ନେଇଥିବା କିଶୋରୀ ଓ ଯୁବତୀମାନଙ୍କ ମଧ୍ୟରୁ  ୫୮% ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର, ହ୍ବାଟ୍ସଆପ୍ ଏବଂ ଟିକଟକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନଲାଇନ୍ ନିର୍ଯ୍ୟାତନାର ଶିକାର ହେଉଥିବା କହିଛନ୍ତି ।


ସର୍ଭେ ଅନୁଯାୟୀ, ଅନଲାଇନରେ ୪୭% ବାଳିକା ଶାରୀରିକ ତଥା ଯୌନ ହିଂସାର ଶିକାର ହେଉଥିବାବେଳେ ୫୯% ସେମାନଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରାଯାଉଥିବା କହିଛନ୍ତି ।   ପ୍ଲାନ ଇଣ୍ଟରନ୍ୟାସନାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଏନ-ବିର୍ଗିଟ ଆଲବ୍ରେଷ୍ଟନ୍ କହିଛନ୍ତି ଯେ କିଶୋରୀ ଓ ଯୁବତୀମାନଙ୍କୁ ଚୁପ୍ ରହିବାକୁ ଧମକ ଦିଆଯାଉଥିବା ଓ ଚୁପ୍ ନ ରହିଲେ ସେମାନଙ୍କୁ ବଦନାମ କରିଦିଆଯିବାକୁ ଧମକ ଦିଆଯାଉଥିବା ମଧ୍ୟ କହିଥିବା ସୂଚନା ଦେଇଛନ୍ତି ।

Comments are closed.