୭୨ ଦେବାଳିଆ ସଂସ୍ଥାରେ ଫସିଛି ୫୫୪କୋଟି

ଭୁବନେଶ୍ୱର :ଓଡ଼ିଶାରେ ଥିବା ବିଭିନ୍ନ ପିଏସୟୁ ସଂସ୍ଥାରେ ରାଜ୍ୟ ସରକାର ପୁଞ୍ଜି ନିବେଶ କରି ରାଜ୍ୟକୁ ପ୍ରଗତି କ୍ଷେତ୍ରରେ ଆଗେଇ ନେବାପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ସେସବୁ ଆଶା ଏବେ ସରକାରଙ୍କ ନିରାଶାରେ ପରିଣତ ହୋଇଛି। ନିକଟରେ ସିଏଜି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ଆସିଥିବା ରିପୋର୍ଟ ପାଇବା ପରେ ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ଏବେ ଧୂଳିସାତ ହେବାକୁ ବସିଛି। ସିଏଜି ରିପୋର୍ଟରେ ରାଜ୍ୟରେ ପ୍ରାୟ ୭୨ ସଂସ୍ଥା ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚିଥିବା ଦର୍ଶାଇଛି।
୨୦୧୮-୧୯ ବର୍ଷ ସୁଦ୍ଧା ରାଜ୍ୟରେ ୭୨ଟି ସଂସ୍ଥାରେ ସରକାରଙ୍କ ପ୍ରାୟ ୫୫୪କୋଟି ଟଙ୍କା ଫସି ରହିଛି। ଉକ୍ତ ସଂସ୍ଥାର ପୁନରୁଦ୍ଧାର କରିବାକୁ ଚାହିଁଲେ ମଧ୍ୟ ଚାରିପଟୁ ନ୍ୟାୟିକ ମାମଲା ବାଡ ସଦୃଶ ରହିଛି। କିଭଳି ସଂସ୍ଥାରୁ ସରକାର ମୂଳ ପୁଞ୍ଜି ପାଇବେ ତାହାକୁ ନେଇ ଅର୍ଥ ବିଭାଗ ଚିନ୍ତା ପ୍ରକଟ କରିଛି। ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସବୁ ବିଭାଗ ଅର୍ଥନୈତିକ ପରାମର୍ଶଦାତାମାନଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ୧୪୭ଟି ପିଏସୟୁ ସଂସ୍ଥା ରହିଛି। ସେଥିମଧ୍ୟରୁ ୭୫ଟି ସଂସ୍ଥା ଏକ ପ୍ରକାର ଲାଭଜନକ ଅବସ୍ଥାରେ ଚାଲିଥିଲେ ହେଁ ୭୨ଟି ସଂସ୍ଥା ସଂପୂର୍ଣ୍ଣ ଭାବେ ଦେବାଳିଆ ପରିସ୍ଥିତି ଦେଇ ଗତି କରୁଛି। ସେହିସବୁ ସଂସ୍ଥାରେ ସରକାରଙ୍କ ମୂଳ ପୁଞ୍ଜି ଉଦ୍ଧାର ଲାଗି ଏଜିଙ୍କ ପକ୍ଷରୁ ୨୦୧୯ ଜୁନରେ ଅବଗତ କରାଯାଇଥିଲା।
ଏନେଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗକୁ ମଧ୍ୟ ପତ୍ର ଲେଖାଯାଇଥିଲା। ହେଲେ ପ୍ରଶାସନିକ ଅଧିକାରୀମାନେ ଯେଉଁ ଉତ୍ତର ରଖିଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ଏହି ରୁଗ୍ଣ ସଂସ୍ଥାଗୁଡିକ ନ୍ୟାୟିକ ମାମଲାରେ ଛନ୍ଦି ହୋଇ ରହିଛି। ସେଗୁଡିକୁ ବିକ୍ରି କରିବାକୁ ଚାହିଁଲେ ମଧ୍ୟ ସଂପୃକ୍ତ ବିଭାଗର ଉଦ୍ୟମ ସଫଳ ହେଉନାହିଁ। ସେହି ସବୁ ରୁଗ୍ଣ ସଂସ୍ଥା ଦିନକୁ ଦିନ ସରକାରଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇ ଚାଲିଛି।
ଅନ୍ୟପକ୍ଷରେ ସଂପୃକ୍ତ ସଂସ୍ଥାକୁ ରକ୍ଷଣାବେକ୍ଷଣା ଲାଗି ପ୍ରତିମାସରେ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ନ୍ୟାୟିକ ମାମଲାକୁ ଠିକଣା ପରିାଳନା କରି ତୁରନ୍ତ ଫଇସଲା କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ମୀନା ଏଫଏମାନଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.