ବୋଲଗଡରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି

ବୋଲଗଡ : କରୋନା ମହାମାରୀ କାରଣରୁ ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡିଶାରେ ହୁ ହୁ ହୋଇ ବଢିଚଲିଛି। ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଏହା ଶତାଧିକ ସଂଖ୍ୟାରେ ପହଂଚିଛି। ସେଥି ମଧ୍ୟରୁ ବୋଲଗଡ ବ୍ଲକରେ ୫ଜଣଙ୍କର ସ୍ୱାବ ନମୁନା ପଜିଟିଭ ବାହାରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ଫାସିଓଦା ପଞ୍ଚାୟତର ପୂର୍ବ ଆକ୍ରାନ୍ତଙ୍କ ସ୍ପର୍ଶରେ ଆସିଥିବା ଜନୈକ ୫୫ବର୍ଷର ବ୍ୟକ୍ତି ଥିଲାବେଳେ ବାଙ୍କୋଇ ଦେଶ ପଞ୍ଚାୟତର ଗୋଟିଏ ପରିବାରର ୪ଜଣ ସଂକ୍ରମିତ ହୋଇଛନ୍ତି।
ସେହି ପରିବାରର ୬୭ବର୍ଷର ଘର ମୁରବି ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଭୋଜିରେ ୧୫ଦିନ ତଳେ ଯୋଗଦେଇଥିଲେ। ସେହି ଭୋଜିରେ ମାଣିବନ୍ଧ ସ୍ୱାବ ପରୀକ୍ଷା କେନ୍ଦ୍ରର ଜଣେ କରୋନା ପଜିଟିଭ ଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏଥିରେ ଯୋଗ ଦେଇଥିଲେ। ଯାହା ଫଳରେ ତାଙ୍କ ଠାରୁ ସଂକ୍ରମିତ ହୋଇ ଉକ୍ତ ବ୍ୟକ୍ତି ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପିଡୀତ ଥିଲେ। ଏହିବ୍ୟକ୍ତିଙ୍କ ୬୦ବର୍ଷ ବୟସ୍କା ପତ୍ନୀ, ତାଙ୍କର ୩୫ବର୍ଷର ବଡପୁଅ ଓ ୩୦ବର୍ଷର ବିବାହିତ ଝିଅ ଆକ୍ରାନ୍ତ ହୋଇଥିବାର ସ୍ୱାବ ନମୁନା ଟେଷ୍ଟପରେ ଜଣାପଡିଥିଲା। ତାଙ୍କୁ ଭୁବନେଶ୍ୱରସ୍ଥ କୋଭିଡ ଚିକିତ୍ସାଳୟକୁ ନେଇଛନ୍ତି। କାରଣ ଉକ୍ତ ମୁରବୀ ବ୍ୟକ୍ତି ଜଣକ ବାଙ୍କୋଇ ଗ୍ରାମର ଜଣେ ସମାଜସେବୀ ହୋଇଥିବାରୁ ସେ ବାଙ୍କୋଇ ଫାଣ୍ଡି , ଡାକ୍ତରଖାନା ,ପଞ୍ଚାୟତ କାର୍ୟ୍ୟାଳୟରେ ବହୁ ବ୍ୟକ୍ତିଙ୍କ ସ୍ପର୍ଶରେ ଆସିଛନ୍ତି। ତାଙ୍କର ୩୦ବର୍ଷର ବିବାହିତ ଝିଅ ସେମବାର ଦିନ ବୋଲଗଡ କୃଷି କାର୍ୟ୍ୟାଳୟରେ ଗଠିତ ଆତ୍ମା କମିଟି ବୈଠକରେ ଉପସ୍ଥିତ ଥିବାରୁ ସେଠାରେ ମଧ୍ୟ ସଂକ୍ରମଣ ଆଶଙ୍କାରେ କର୍ମଚାରୀମାନେ ଭୟଭୀତ ହୋଇପଡିଛନ୍ତି। ଏହି ଘଟଣା ଜଣାପଡିବାପରେ ଗ୍ରାମରେ ସରକାରୀ କାର୍ୟ୍ୟାଳୟରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।

Comments are closed.