କଳା କବକ: ଏହି ରାଜ୍ୟରେ ଚକ୍ଷୁ ହରାଇଲେଣି ୫୪ ଜଣ, ୮୦ ମୃତ

କରୋନା ସଙ୍କଟ ମଧ୍ୟରେ କଳା କବକ ସଂକ୍ରମଣ ଚିନ୍ତାର ବିଷୟ ପାଲଟିଛି। ଉତ୍ତରପ୍ରଦେଶରେ କଳା କବକ ସଂକ୍ରମଣ ଯୋଗୁ ୫୪ ଜଣଙ୍କୁ ଚକ୍ଷୁ ହରାଇବାକୁ ପଡ଼ିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୮୦ ଜଣଙ୍କର ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ ଅଧିକାଂଶ ଗ୍ରାମାଞ୍ଚଳର। ସହରାଞ୍ଚଳରେ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁଛି, କିନ୍ତୁ ଗ୍ରାମାଞ୍ଚଳରେ ଠିକ୍‌ ସମୟରେ ଚିକିତ୍ସା ଅଭାବରୁ ରୋଗୀଙ୍କୁ କେବଳ ରେଫର କରାଯାଉଛି। ରୋଗୀ ଉନ୍ନତ ଚିକିତ୍ସା ପାଇବା ପୂର୍ବରୁ ଆଖି ବୁଜୁଛନ୍ତି, ଅଥବା ଚକ୍ଷୁ ହରାଉଛନ୍ତି।

ରାଜ୍ୟର ମୁରାଦାବାଦରେ ସବୁଠୁ ଅଧିକ ରୋଗୀ ଠାବ ହୋଇଛନ୍ତି। ଏଠାରେ ୧୭ ଜଣଙ୍କଠାରେ କଳା କବକ ଦେଖିବାକୁ ମିଳିଥିଲା ଏବଂ ସମସ୍ତଙ୍କର ଆଖି ନଷ୍ଟ ହୋଇଯାଇଥିଲା। ସେମାନଙ୍କର ଚକ୍ଷୁ ବାହାର କରିବାକୁ ପଡ଼ିଥିଲା। ଏହି ତଥ୍ୟ କଳା କବକର ଭୟାବହତାର ପ୍ରମାଣ ଦେଉଛି। ଆଉ ଏକ ବଡ଼ କଥା ହେଉଛି କରୋନାରେ ସଂକ୍ରମିତ ହୋଇ ନ ଥିଲେ ବି ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ମୀରଟ ମେଡିକାଲ କଲେଜରେ ବର୍ତ୍ତମାନ ସୁଦ୍ଧା ୮୫ କଳା କବକ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୩୩ ଜଣ କରୋନା ପଜିଟିଭ ଥିବାବେଳେ ୫୧ ଜଣ ନେଗେଟିଭ୍‌ ରହିଛନ୍ତି। ତଥାପି ସେମାନେ କଳା କବଳରେ ଆକ୍ରାନ୍ତ​‌ ହୋଇଛନ୍ତି।

Comments are closed.