ଅନୁପ୍ରବେଶ ପାଇଁ ୫୦୦ ଆତଙ୍କବାଦୀ ପ୍ରସ୍ତୁତ : ସୀମାରେ ହାଇ ଆଲର୍ଟ

କାର୍ଯ୍ୟାନୁଷ୍ଠାନ ପାଇଁ ସେନା ବାହିନୀକୁ ପୂର୍ଣ୍ଣ ସ୍ବାଧୀନତା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା(ଏଲଓସି) ଦେଇ ଭାରତରେ ଅନୁପ୍ରବେଶ କରିବାକୁ ୫୦୦ ଆତଙ୍କବାଦୀ ଉଦ୍ୟମ କରୁଛନ୍ତି। କାଶ୍ମୀର ଘାଟିରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ସେମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ସୂଚନା ମିଳିଛି।
ସୁରକ୍ଷା ବାହିନୀକୁ ଏହି ସୂଚନା ମିଳିବା ପରେ ଏଲଓସିରେ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ନିୟନ୍ତ୍ରଣ ରେଖାରେ ଯେକୌଣସି ପ୍ରକାରର ବେଆଇନ ଅନୁପ୍ରବେଶ ଉଦ୍ୟମର ମୁକାବିଲା କରିବା ପାଇଁ ସୁରକ୍ଷା ବାହିନୀକୁ ସ୍ୱାଧୀନତା ଦିଆଯାଇଛି। ସେମାନେ ଯେକୌଣସି ଭାବେ ଏହାର ମୁକାବିଲା କରି ପାରିବେ। ପ୍ରଶିକ୍ଷଣ ପ୍ରାପ୍ତ ଏହି ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ପ୍ରତୀକ୍ଷା କରି ରହିଛନ୍ତି । ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ଲଞ୍ଚ ପ୍ୟାଡରେ ଅପେକ୍ଷା କରି ରହିଛନ୍ତି ।
ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଆତଙ୍କବାଦୀମାନେ କାଶ୍ମୀର ଘାଟି ସହିତ ଦେଶର ପ୍ରମୁଖ ସହରରେ ଥିବା ପ୍ରତିଷ୍ଠାନ ଗୁଡିକ ଉପରେ ଆକ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି । ତେବେ ଯେକୌଣସି ପ୍ରକାରର ଆପଦକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ସେନା ସତର୍କ ଓ ପ୍ରସ୍ତୁତ ଅଛି । ଯେକୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନର ମୁକାବିଲା ପାଇଁ ପ୍ରଭାବଶାଳୀ ଢ଼ଙ୍ଗରେ ପଦକ୍ଷେପ ନେବାକୁ ସେନାବାହିନୀକୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।
ପୂର୍ବରୁ ଜାମ୍ମୁ କାଶ୍ମୀର ଉତ୍ତର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଆତଙ୍କବାଦୀଙ୍କ ସଂପର୍କରେ ଏକ ବଡ଼ ସୂଚନା ଦେଇ କହିଥିଲେ ଯେ, ଏବେ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ରର ଘୋର ଅଭାବ ରହିଛି। ଏଥିପାଇଁ ସେମାନେ ପୁଲିସ ଥାନା ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‍ କରିବାର ଉଦ୍ୟମ କରୁଛନ୍ତି। ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଜାମ୍ମୁ କାଶ୍ମୀରକୁ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଉଛି।

Comments are closed.