ଓଡ଼ିଶାକୁ ୫୦୦ କୋଟି ସହାୟତା ଘୋଷଣା ସହ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ମୋଦୀ

ଭୁବନେଶ୍ବର:  ‘ଅମ୍ପନ’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୫୦୦ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ବାତ୍ୟାର ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶାରେ ଥିବା ଆନୁଷ୍ଠାନିକ ବ୍ୟବସ୍ଥା ବିଶେଷକରି ଗାଁରେ ନାଗରିକଙ୍କ ମଧ୍ୟରେ ସଚେତନତାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । 

ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଅଗ୍ରୀମ ୫୦୦ କୋଟି ଟଙ୍କା ରାଜ୍ୟକୁ ଦେବେ । ଏହାବ୍ୟତୀତ, ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। ସେମାନଙ୍କ ରିପୋର୍ଟକୁ ଭିତ୍ତି କରି ଆବଶ୍ୟକ ହେଲେ କେନ୍ଦ୍ର ଅଧିକ ଆର୍ଥିକ ସାହାଯ୍ୟ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ବାତ୍ୟାଞ୍ଚଳ ଅନୁଧ୍ୟାନ କରି ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରର କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା  କରିଥିଲେ ।   ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ , ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି କମ୍ । ମାତ୍ର ରାଜ୍ୟରେ କୃଷି, ବିଦ୍ୟୁତ, ଗୃହନିର୍ମାଣ, ଯୋଗାଯୋଗ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରଭାବିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିସ୍ତୃତ ତଥ୍ୟ ଦିଆଯାଇଥିଲା ଓ ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ଆସି ଏହାକୁ ଅନୁଧ୍ୟାନ କରିବ । ଓଡ଼ିଶା ସରକାର ମଧ୍ୟ ଏକ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବାପରେ ଯାହାକିଛି ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ବୈଠକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ପୁଲିସ ଡିଜି ଅଭୟ, ଏସଆରସି ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।  ସୂଚନା ଅନୁସାରେ ରାଜ୍ୟର ୮ଟି ଜିଲ୍ଲାରେ ମୋଟ ୯୦ଟି ବ୍ଲକର ପ୍ରାୟ ୧୫୦୦ ପଞ୍ଚାୟତର ପ୍ରାୟ ୪୫ଲକ୍ଷ ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା।

 

Comments are closed.