କଟକ ବଡ଼ ଡାକ୍ତରଖାନା : ଖୋଲିଲା ୫୦୦ ଶଯ୍ୟାର କୋଭିଡ ହସ୍ପିଟାଲ

କଟକ : ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ମଙ୍ଗଳବାର ୫୦୦ଶଯ୍ୟାର ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ନୂତନ ଭେଷଜ ଅଟ୍ଟାଳିକାରେ ଖୋଲିଥିବା କୋଭିଡ ହସ୍ପିଟାଲକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଅନିଲ କୁମାର ସାମଲ ଲୋକାର୍ପିତ କରିଥିଲେ। ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ ୫୦ଶଯ୍ୟାର ଆଇସିୟୁ, ୩୦ଶଯ୍ୟାର ଏଚଡିୟୁ, ପ୍ରସୂତିଙ୍କ ପାଇଁ ୩୦ଶଯ୍ୟା ସୁବିଧା ରହିଛି। ବର୍ତ୍ତମାନ ଏସସିବିକୁ କୋଭିଡ ରୋଗୀ ଆସିଲେ ସିଧାସଳଖ ଏହି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେ​‌େ‌ବ। ରୋଗୀଙ୍କ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ଏହି ହସ୍ପିଟାଲକୁ ଲୋକାର୍ପଣ କରାଯାଇଛି ବୋଲି ଆରଡିସି ଶ୍ରୀ ସାମଲ କହିଛନ୍ତି। ଉଦଘାଟନ ଉତ୍ସବରେ ଜିଲାପାଳ ଭବାନୀଶଙ୍କର ଚୟନୀ, ମେଡିକାଲ କଲେଜ ଅଧୀକ୍ଷକ ପ୍ର​‌େ​‌ଫସର ଡାକ୍ତର ଡା. ଦତ୍ତେଶ୍ୱର ହୋତା, ଭାରାପ୍ରାପ୍ତ ଅଧୀକ୍ଷକ ଡା. ଲୁସି ଦାସ, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀ କାଳୀନ ମେଡିକାଲ ଅଧିକାରୀ ଡା.ଭୁବନାନନ୍ଦ ମହାରାଣା, ମେଡିସିନ ବିଭାଗୀୟ ମୁଖ୍ୟ ତଥା କୋଭିଡ ହସ୍ପିଟାଲ ନୋଡାଲ ଅଫିସର ଡା.ଜୟନ୍ତ ପଣ୍ଡା, ସର୍ଜରୀ ବିଭାଗର ପ୍ରଫେସର ଡା.ବନବିହାରୀ ମିଶ୍ର, ସ୍ତ୍ରୀ ରୋଗ ବିଭାଗର ଡା. ତୁଷାର କର, ସ୍ନାୟୁ ଶଲ୍ୟ ବଭାଗର ଡା. ସୁଧାଂଶୁ ମିଶ୍ର, ରୁମାଟୋଲୋଜି ବିଭାଗର ପ୍ରଫେସର ଡା. ବିଦ୍ୟୁତ ଦାସଙ୍କ ସହ ହସ୍ପିଟାଲ ସମସ୍ତ ବିଭାଗୀୟ ମୁଖ୍ୟ, ସେବିକା ଓ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
ସୂଚାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସ ୪ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କଟକ ଶ୍ରୀ ରାମଚନ୍ଦ୍ରଭଞ୍ଜ ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟରେ କୋଭିଡ ହସ୍ପିଟାଲ ସ୍ଥାପନ କରିବା ନିମନ୍ତେ ପ୍ରସ୍ତାବ ଦିଆ ଯାଇଥିଲା। ଉକ୍ତ କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବା ସହ ସ୍ତ୍ରୀରୋଗ,ଶଲ୍ୟ ଓ ଅନ୍ୟାନ୍ୟ ସମସ୍ତ ବିଭାଗର ଡାକ୍ତରୀ ସୁବିଧା ମଧ୍ୟ ଯୋଗାଇ ଦେବା ଲାଗି ଯୋଜନା ରଖା ଯାଇଥିଲା। ସେବେଠାରୁ ଏସସିବିର ମୁଖ୍ୟତ ନୂତନ ଭେଷଜ ବିଭାଗ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହା ପୂର୍ବରୁ ଚକ୍ଷୁ ବିଭାଗରେ ବିଲ୍ଡିଂରେ କୋଭିଡ ଆଇସୋଲେସନରେ ରୋଗୀଙ୍କୁ ଚିକିତ୍ସା କାର୍ଯ୍ୟ ତ୍ୱାରାନ୍ୱିତ ହେଉଥିଲା।

Comments are closed.