ଷ୍ଟେଟ ବ୍ୟାଙ୍କ ନିକଟରୁ ୫୦ହଜାର ଟଙ୍କା ଲୁଟ

ଆଠଗଡ: ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ୫୦ହଜାର ଟଙ୍କା ଉଠାଇ ସାଇକେଲରେ ବାଣୀକଣ୍ଠନଗର ଯାଉଥିବା ଶିକ୍ଷକ ବିଜୟ କୁମାର ପଣ୍ଡା ଲୁଟର ଶିକାର ହୋଇଥିବା ଜଣାପଡିଛି । ଶ୍ରୀ ପଣ୍ଡା ଟଙ୍କା ଉଠାଇ ସାଇକଲରେ ଯାଉଥିବା ବେଳେ ଷ୍ଟେଟବ୍ୟାଙ୍କର ଅନତି ଦୂରରେ ତାଙ୍କ ସାଇକେଲ ଖରାପ ହେବାରୁ ସେ ଓହ୍ଲାଇ ଠିକ୍ କରୁଥିବା ସମୟରେ ୩ଜଣ ଦୁର୍ବୁତ ଦୁଇଟି ବାଇକରେ ଆସି ସାଇକଲ ହାଣ୍ଡେଲରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ । ଶ୍ରୀ ପଣ୍ଡା ତୁରନ୍ତ ଆଠଗଡ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା କ୍ଷଣି ଆଇଆଇସି ବାମଦେବ ସ୍ୱାଇଁ ଓ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଲୁଟିଆଙ୍କୁ ଧରିବାରେ ସକ୍ଷମ ହୋଇନଥିଲେ । ତେବେ ଏ ସଂପର୍କରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ୧୦-୧୨ ଦିନ ପୂର୍ବରୁ ହେମମାଳପୁର ଗ୍ରାମ ମଧ୍ୟରୁ ବାଇକ ଡିକି ଭାଙ୍ଗି ୭୦ହଜାର ଟଙ୍କା ଲୁଟ ହୋଇଥିଲା । ଆଠଗଡରେ ଏହି ଲୁଟ୍ ଓ ଛିନ୍ତାଇ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କୌଣସି ଗୋଟିଏ ବି ଘଟଣାରେ ସଂପୃକ୍ତ ଲୁଟିଆଙ୍କୁ ଧରିବାରେ ପୁଲିସ ବିଫଳ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

Comments are closed.