ଫଣି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱେଚ୍ଛାସେବୀ  କରିବେ ୫୦ ଲକ୍ଷ ଚାରା ରୋପଣ

ଭୁବନେଶ୍ୱର: – ଫଣିରେ କ୍ଷତି ହୋଇଥିବା ସବୁଜିମା ଭରଣା କରିବା ଏତେ ସହଜ ନୁହେଁ। ଏଥି ନିମନ୍ତେ ସମସ୍ତଙ୍କ ମିଳିତ ପ୍ରଚେଷ୍ଠା ଲୋଡା ଓ ଯୁବ ଗୋଷ୍ଠୀ, ଶିକ୍ଷାନୁଷ୍ଠାନ, ତୃଣମୂଳ ସ୍ତରୀୟ ସଙ୍ଗଠନମାନଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ଗୁରୁବାର ସ୍ୱେଚ୍ଛାସେବୀମାନଙ୍କ ପାଇଁ ଆୟୋଜିତ ଏକ ତାଲିମ ଶିବିରରେ ମତ ପ୍ରକାଶ ପାଇଛି । ଫଣି ପରବର୍ତ୍ତୀ କ୍ଷତି ହୋଇଥିବା ସବୁଜିମାର ଭରଣା ପାଇଁ ଜଙ୍ଗଲ ବିଭାଗ, ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ଅଣ୍ଟା ଭିଡିଛନ୍ତି। ଫଣି ପ୍ରଭାବିତ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ଏଥି ନିମନ୍ତେ ଯୁବ ସ୍ୱେଚ୍ଛାସେବୀମାନଙ୍କ ଭୁମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଛନ୍ତି । ଜୁଲାଇ ୧ ତାରିଖରୁ କଟକ, ଭୁବନେଶ୍ୱର ଓ ପୁରୀରେ ପ୍ରଥମ ପର୍ଯ୍ୟାୟରେ୨୫ଟି କିଓସ୍କ ଖୋଲାଯିବ ଏବଂ ଇଚ୍ଛୁକ ପରିବାରମାନଙ୍କୁ ମାଗଣାରେ ଚାରା ଯୋଗାଇ ଦିଆଯିବା ବୋଲି ଜଙ୍ଗଲ ବିଭାଗର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଅଭୟ କୁମାର ପାଠକ ସୂଚନା ଦେଇଛନ୍ତି। ଇଚ୍ଛୁକ ପରିବାର ଯାହାଙ୍କର ବୃକ୍ଷରୋପଣ ପାଇଁ ସୁରକ୍ଷିତ ସ୍ଥାନ ଥିବା କେବଳ ସେହି ଭଳି ପରିବାରକୁ ଚିହ୍ନଟ କରାଯାଇ ଗ୍ରାମାଞ୍ଚଳରେ ପ୍ରତି ପରିବାର ପିଛା ୧୦ଟି ଏବଂ ସହରାଞ୍ଚଳରେ ୫ଟି ମାଗଣା ଚାରା ଯୋଗାଇ ଦିଆଯିବ ବୋଲି ଶ୍ରୀ ପାଠକ ମତ ବ୍ୟକ୍ତ କରିଛନ୍ତି। ସ୍ୱେଚ୍ଛାସେବୀମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ୍‍ ଦିଆଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ଲକ୍ଷ୍ୟରେ ଏହି ଦୁଇ ଦିନିଆ ତାଲିମ୍‍ ଶିବର ଆୟୋଜନ କରାଯାଇଛି।

ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଲଙ୍ଗଲ କ୍ଷୟର ପରିଣାମ ଦେଖିବାକୁ ମିଳିଲାଣି। ଅନେକ ଦେଶ ବିଶ୍ୱ ତାପନ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି। ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା, ତୀବ୍ରତା ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିଲାଣି। ଏହି ପ୍ରାକୃତିକ ବିପର୍ଯ୍ୟୟ ଆମ ଦେଶ ଓ ରାଜ୍ୟ ଭଳି ଗରୀବ ରାଷ୍ଟ୍ରଗୁଡିକ ପ୍ରତି ଅଧିକ ବିପଦପୂର୍ଣ୍ଣ। ଏହା ଆମ ସାମାଜିକ ଓ ଆର୍ôଥକ ମାନଦଣ୍ଡକୁ ଦୋହଲାଇ ଦେବା ସହ ଆମ ବିକାଶର ପ୍ରମୁଖ ପ୍ରତିବନ୍ଧକ ସାଜିଛି। ତେଣୁ ବେଳ ହୁଁ ସାବଧାନ ନହେଲେ ଆଗକୁ ଆହୁରି ବିପଦ ଓ କ୍ଷୟକ୍ଷତି ବଢିବ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ସମାଧାନର ବାଟ କେବଳ ବ୍ୟାପକ ବୃକ୍ଷରୋପଣ। କେବଳ ଗଛ ଟିଏ ଲଗାଇଦେଲେ ଚଳିବ ନାହିଁ। ନିଜ ପିଲାକୁ ଯେପରି ଆମେ ଯତ୍ନ ନିଅନ୍ତି ଓ ବଡ କରନ୍ତି ଠିକ୍‍ ସେମିତି ଗୋଟିଏ ଚାରାକୁ ଯତ୍ନ ସହକାରେ ବଢାଇବାକୁ ହେବ ବୋଲି ପରିବେଶବିତ୍‍ ପ୍ରଫେସର ରାଧାମୋହନ ମତ ସାବ୍ୟସ୍ତ କରିଛନ୍ତି।

 

ଫଣି ପ୍ରଭାବିତ ଅଞ୍ଚଳରେ ଏହି କିଓସ୍କର ପରିଚାଳନା, ଜନ ସଚେତନତା ବୃଦ୍ଧି ଓ ଚାରା ବଣ୍ଟନ ଆଦି କାର୍ଯ୍ୟକୁ ସୂଚାରୁରୂପେ ତୁଲଇବା ଏବଂ କିଓସ୍କର ପରିଚାଳନା ପାଇଁ ତାଲିମ୍‍ପ୍ରାପ୍ତ ଯୁବ ସ୍ୱେଚ୍ଛାସେବୀମାନେ ଜଙ୍ଗଲ ବିଭାଗ ଅଧିକାରୀ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହ ମିଶି କାମ କରିବେ। ଗୋଷ୍ଠୀର ଆବଶ୍ୟକତା ଚିହ୍ନଟ ଓ ପ୍ରତି କିଓସ୍କରେ ତାଲିମ ପ୍ରାପ୍ତ ୪ ରୁ ୮ ଜଣ ତାଲିମ୍‍ ପ୍ରାପ୍ତ ଯୁବ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଏହି ସ୍ୱେଚ୍ଛାସେବୀମାନେ ବୃକ୍ଷରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଜନ ସହଭାଗୀତାରେ କାର୍ଯ୍ୟକ୍ରମକୁ ସଫଳ କରିବେ ବୋଲି ସିୱାଇଏସ୍‍ଡିର ମାର୍ଗଦର୍ଶକ ଓ ସହ-ପ୍ରତିଷ୍ଠାତା ଜଗଦାନନ୍ଦ ମତ ବ୍ୟକ୍ତ କରିଛନ୍ତି।

 

ବୃକ୍ଷରୋପଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଜନସଚେତନା ବୃଦ୍ଧି ଓ ଗୋଷ୍ଠୀର ଆବଶ୍ୟକତାକୁ ଚିହ୍ନଟ କରାଯିବ ବୋଲି ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁସୂଦନ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଏବଂ ସାମିଲ ହେବା ପାଇଁ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ସର୍ବଦା ସହଯୋଗ କରିବେ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଉପ-ନିର୍ଦ୍ଦେଶକ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ମତ ବ୍ୟକ୍ତ କରିଛନ୍ତି। ଆସନ୍ତା ଜୁଲାଇ ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ସବୁଜ ଓଡିଶା ଅଭିଯାନ ଆରମ୍ଭ ହେବାକୁ ଯାଉଛି ଏବଂ ଯୁବ ଗୋଷ୍ଠୀ, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ଗ୍ରାମୀଣ ସଙ୍ଗଠନ ଆଦି ବହୁଳ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସଫଳ କରିବାକୁ ଉଦ୍ୟମର ସମ୍ପାଦକ ପ୍ରଦୀପ ମହାପାତ୍ର ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉନ୍ମୁକ୍ତ ଫାଉଣ୍ଡେସନ୍‍ର ଶ୍ୱେତା ଅଗ୍ରୱାଲ, ସମ୍ଭବର ସାବରମତୀଙ୍କ ସମେତ ଫଣି ମୁକାବିଲା ସାମଜିକ ଅନୁଷ୍ଠାନ ଓ ନାଗରୀକ ସମୂହର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଦୁଇ ଦିନିଆ ତାଲିମ୍‍ ଶିବିରରେ ଶହେରୁ ଅଧିକ ଏନ୍‍ୱାଇପି ଓ ବିଭିନ୍ନ ମହାବିଦ୍ୟାଳୟର ଏନ୍‍ଏସ୍‍ଏସ୍‍ ସ୍ୱେଚ୍ଛାସେବୀମାନଙ୍କ ସମେତ ଏନ୍‍ଏସ୍‍ଏସ୍‍ ସଂଯୋଜକମାନେ ଯୋଗ ଦେଇଛନ୍ତି।

Comments are closed.